ମନ ଜଣିଲେ ସରଳ ନିର୍ମଳା,ସେଲଫି ନେଲେ, ସଂଗ୍ରହ କଲେ ଶହୀଦ ମାଟି

ଶୁଭାଶିଷ ପଣ୍ଡାଙ୍କ ରିପୋର୍ଟ ( ପୁରୀ) : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । କଥା ଓ ଆଚରଣରେ ସରଳ ସେମିତି ନିରାଡମ୍ବର ସେମିତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅର୍ଥମନ୍ତ୍ରୀଙ୍କ ବେଶ ପୋଷାକ, କଥାବାର୍ତ୍ତାରେ ସରଳତା, ନିରାଡମ୍ବର ଜୀବନ ଶୈଳୀ ସଭିଁଙ୍କୁ ଚମତ୍କୃତ କରୁଛି । ଆଜି ସକାଳୁ ସକାଳୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ ପାଇଁ ନିର୍ମଳା । ସିଂହଦ୍ୱାର ଗରୁଡ଼ ସ୍ତମ୍ଭ ସାମ୍ନାରେ ଭାବ ଭକ୍ତିରେ ଅଭିଭୂତ ହେଲେ ।

ଆଜି ଖୁବ ସାଧାସିଧା ସମ୍ବଲପୁରୀ ଶାଢୀ ପରିଧାନ କରି ଶ୍ରୀମନ୍ଦିର ଦର୍ଶନରେ ଆସିଥିଲେ । ଅରୁଣ ସ୍ତମ୍ଭ ନିକଟରେ ମୁଣ୍ଡ ନୁଆଁଇ ମୁଣ୍ଡିଆ ମାରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସେଠାରୁ ଫେରି ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବାଲୁକା କଳା ବୁଲି ଦେଖିଥିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ‘ମୋ ମାଟି ମୋ ଦେଶ’ ଥିମ୍‌ ଉପରେ ପ୍ରସ୍ତୁତ ବାଲୁକା କଳା ଦେଖିଲେ । ପରେ ତିନି ହଜାର ଛାତ୍ରଛାତ୍ରୀଙ୍କ ଗହଣରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ପରେ କେନ୍ଦ୍ରମନ୍ତ୍ରୀ ଯାଇଥିଲେ ସହିଦଙ୍କ ଗାଁ ବୀର ହରେକୃଷ୍ଣ ପୁରକୁ । କେନ୍ଦ୍ରମନ୍ତ୍ରୀ ପ୍ରଥମ କରି ପୁରୀ ବୀରହରେକୃଷ୍ଣପୁର ଗାଁକୁ ଆସିଥିବାରୁ ଗ୍ରାମବାସୀ ବେଶ୍ ଉତ୍ସାହିତ ଥିଲେ । ନିର୍ମଳାଙ୍କୁ ଦେଖିବା ପାଇଁ ଗାଁର ମହିଳାମାନେ ଆସିଥିଲେ । ସମସ୍ତେ ନିର୍ମଳାଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିଲେ । ତେବେ କାହାକୁ ନିରାଶ କରି ନ ଥିଲେ ଅର୍ଥମନ୍ତ୍ରୀ ।

ଗାଁରେ ଘର ଘର ବୁଲି ମାଟି ସଂଗ୍ରହ କରିଥିଲେ କେନ୍ଦ୍ରମନ୍ତ୍ରୀ । ପରେ ଏକ ଜନସଭାରେ ଯାେଗ ଦେଇଥିଲେ । ସଭା ମଂଚରୁ କେତେବେଳେ ଫେରିବେ ନିର୍ମଳା ଓ ତାଙ୍କ ସହ ଫଟୋ ଉଠାଇବେ ତାକୁ ଅପେକ୍ଷା କରି ରହିଥିଲେ ଗାଁ ଲୋକେ ।

ସଭା ସରିବା ପରେ ନିର୍ମଳା ମଂଚରୁ ଓହ୍ଳାଇଥିଲେ । ଏହି ସମୟରେ ଗାଁର ଜଣେ ମହିଳା ଅର୍ଥମନ୍ତ୍ରୀଙ୍କ ସହ ସେଲ୍ଫି ନେବାକୁ ଯାଇଥିଲେ । କିନ୍ତୁ ପ୍ରବଳ ଗହଳି କାରଣରୁ ସେ ନେଇ ପାରୁ ନ ଥିଲେ । ତଥାପି ଭିଡ ଠେଲି ପଶିବା ସମୟରେ ସେ ଅଜାଣତରେ ଅର୍ଥମନ୍ତ୍ରୀଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲେ ।
ସେଇ ମୁହୂର୍ତ୍ତରେ ସେ ଖୁବ ଡରି ଯାଇଥିଲେ । କାଳେ ମନ୍ତ୍ରୀ ରାଗିବେ ବା ସେମିତି କିଛି ଅପ୍ରୀତିକର ସ୍ଥିତି ସୃଷ୍ଟି ହେବ । ହେଲେ ନିର୍ମଳା ରାଗିନଥିଲେ , ମହିଳାଙ୍କ ବ୍ୟଗ୍ରତା ଦେଖି ଅଟକି ଯାଇଥିଲେ,ମହିଳାଙ୍କୁ ସେଲ୍ଫି ନେବାକୁ ଡାକି ଥିଲେ । ତେବେ ମହିଳା ଜଣକ ସେଲ୍ଫି ନେବାକୁ ଆସି ନେଇ ପାରି ନ ଥିଲେ । ତେଣୁ ନିର୍ମଳା ସୀତାରମଣ ମହିଳାଙ୍କ ହାତରୁ ଫୋନ୍ ଆଣି ନିଜେ ସେଲ୍ଫି ନେଇଥିଲେ ।

ଏହି ଗସ୍ତ ବେଳେ ନିର୍ମଳା ସହିଦ ପରିବାରଙ୍କୁ ଭେଟିଥିଲେ । ପରିବାର ସଦସ୍ୟଙ୍କୁ ଭେଟିଥିଲେ ଓ ସମ୍ବର୍ଦ୍ଧିତ କରିଥିଲେ । ମଞ୍ଚ ଉପରକୁ ଯେତେବେଳେ ପୁରୀର ଜିତେନ୍ଦ୍ର ପ୍ରଧାନଙ୍କ ପରିବାରଙ୍କ ଡକାଗଲା ସେତେବେଳେ ତାଙ୍କର ମା’ ଆସିଥିଲେ । ତାଙ୍କୁ ଦେଖି ମୁଣ୍ଡ ନୁଆଁଇ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଏହା ପରେ ଜିତେନ୍ଦ୍ରଙ୍କ ବୃଦ୍ଧା ମା’ଙ୍କୁ କୁଣ୍ଢାଇ ପକାଇଥିଲେ ନିର୍ମଳା । ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଏକାଧିକ ସଦସ୍ୟଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ ନିର୍ମଳା । ତାଙ୍କ ବେକରେ ଉପ ଢୌକନ ପକାଇ କାହାର ମୁଣ୍ଡକୁ ଆଉଁସି ଦେଉଥିଲେ ତ କାହା ଆଖିରୁ ଲୁହ ପୋଛି ଦେଉଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ଏପରି ସରଳ, ଅମାୟିକ ବ୍ୟବହାରରେ ଅଭିଭୂତ ହୋଇପଡିଥିଲେ ଗାଁ ଲୋକେ ।

You May Also Like

More From Author

+ There are no comments

Add yours