ଜହ୍ନରେ କିଣିବେ ଜାଗା!

ଚନ୍ଦ୍ରଯାନ-୩ ସଫଳତାର ସହ ଲଞ୍ଚ ହୋଇଯାଇଛି। ଏହା ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି କୁହାଯାଉଛି। ଏଥିରେ ଲୋକଙ୍କ ମନରେ ପୁଣି ପ୍ରଶ୍ନ ଉଙ୍କିମାରିଛି, ସତରେ କ’ଣ ଚନ୍ଦ୍ରରେ ଜମି କିଣାଯାଇପାରିବ? ଚନ୍ଦ୍ରର ମାଲିକ କିଏ? ଏହାର ରେଜିଷ୍ଟ୍ରି କେଉଁଠି ଓ କିପରି ହେଉଛି? କେତେ ଟଙ୍କାରେ ଜମି ମିଳୁଛି ଓ କେଉଁ କେଉଁ ବଡ଼ ସେଲିବ୍ରିଟି ଚନ୍ଦ୍ରରେ ଜମି କିଣିଛନ୍ତି ସେ ନେଇ ଲୋକଙ୍କ ମନରେ ଏବେ ଅନେକ ପ୍ରଶ୍ନ। ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଚନ୍ଦ୍ରରେ ଖଣ୍ଡେ ଜମି କିଣିଥିଲେ। ସେହିପରି ଶାହରୁଖ ଖାନଙ୍କୁ ଅଷ୍ଟ୍ରେଲିଆରେ ରହୁଥିବା ତାଙ୍କର ଜନୈକ ଫ୍ୟାନ୍‌ ଚନ୍ଦ୍ରରେ ଜମି କିଣି ତାଙ୍କୁ ଗିଫ୍ଟ କରିଥିଲେ। ତେବେ ଲୁନାରରେଜିଷ୍ଟ୍ରି ଡଟ୍ କମ୍‌ ମୁତାବକ ଚନ୍ଦ୍ରରେ ଏକ ଏକର ଜମିର ମୂଲ୍ୟ ୩୭.୫୦ଆମେରିକୀୟ ଡଲାର। ଅର୍ଥାତ ଭାରତୀୟ ମୁଦ୍ରାରେ ୩ହଜାର ୭୫ ଟଙ୍କା। ତେବେ ଚନ୍ଦ୍ରରେ ଜମି କିଣା ପାଇଁ ସବୁଠୁ ଯାହା ବଡ଼ ପ୍ରଶ୍ନ ତାହା ହେଉଛି ଚନ୍ଦ୍ରର ମାଲିକ କିଏ?

ଆଉଟର ସ୍ପେସ୍‌ ଟ୍ରିଟି ୧୯୬୭ ଅନୁସାରେ ମହାକାଶରେ ଅଥବା ଚନ୍ଦ୍ରରେ ବା ଅନ୍ୟ କୌଣସି ଗ୍ରହ ଉପରେ କୌଣସି ଦେଶ ଅଥବା ବ୍ୟକ୍ତିର ଅଧିକାର ନାହିଁ। ଏହି ରାଜିନାମା ଅନୁସାରେ ଚନ୍ଦ୍ରରେ ଯେ କୌଣସି ଦେଶ ନିଜର ପତାକା ଲାଗାଇ ପାରନ୍ତି ,ହେଲେ ଏହା ଉପରେ କୌଣସି ଦେଶର ମାଲିକାନା ନାହିଁ। ଆଉଟର ସ୍ପେସ୍‌ ଟ୍ରିଟିରେ ସ୍ୱାକ୍ଷର କରି ୨୦୧୯ ମସିହା ସୁଦ୍ଧା ମୋଟ ୧୦୯ଟି ଦେଶ ସଂଯୁକ୍ତ ହୋଇଛନ୍ତି। ୨୩ ଅନ୍ୟ ଦେଶ ମଧ୍ୟ ଏହି ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ହେଲେ ଏହି ଦେଶମାନଙ୍କୁ ମାନ୍ୟତା ମିଳିବା ବାକି ଅଛି।

ଏହି ଟ୍ରିଟିରେ ଉଲ୍ଲେଖ ରହିଛି ଯେ ଯେ କୌଣସି ଦେଶ ଚନ୍ଦ୍ରରେ ବିଜ୍ଞାନ ସମ୍ପର୍କିତ ଗବେଷଣା କାମ କରିପାରନ୍ତି ଓ ଏହାର ବ୍ୟବହାର ମାନବତାର ବିକାଶ ଲାଗି କରିପାରନ୍ତି। ତେବେ ଚନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇ ପାରିବେ ନାହିଁ। ଏବେ ପ୍ରଶ୍ନ ଉଠିବା ସ୍ୱଭାବିକ ଯଦି ଚନ୍ଦ୍ର ଉପରେ କୌଣସି ଦେଶର ମାଲିକାନା ହକ୍ ନାହିଁ ତେବେ କମ୍ପାନୀମାନେ ଚନ୍ଦ୍ରରେ ଜମି କିପରି ବିକୁଛନ୍ତି?

ଚନ୍ଦ୍ରରେ କିଣାଯାଇଥିବା ଜମିର ରେଜିଷ୍ଟ୍ରେସନ ଏହି ପୃଥିବୀରେ ହିଁ ହୋଇଛି। ଲୁନାରରେଜିଷ୍ଟ୍ରି ଡଟ୍ କମ୍ ନାମକ ୱେବସାଇଟ୍ ଚନ୍ଦ୍ରରେ ଜମି ବିକ୍ରିର ରେଜିଷ୍ଟ୍ରେସନ କରିବାର ଅଧିକାର ରଖୁଥିବା ଦାବି କରୁଛି। ତେବେ ୱେବସାଇଟ୍ ତାର ଏଫଏକ୍ୟୁ ଏସ୍ ସେକ୍ସନରେ ସ୍ପଷ୍ଟ ରୂପେ ଲେଖିଛି ଯେ ଚନ୍ଦ୍ରରେ ଜମିର ସେ ମାଲିକ ନୁହେଁ। ସାଇଟ୍‌ର କାମ କେବଳ ରେଜିଷ୍ଟ୍ରି କରିବା ଜମି ବିକ୍ରି କରିବା ନୁହେଁ ବୋଲି ଉଲ୍ଲେଖ ରଖିଛି।

ତେବେ ଚନ୍ଦ୍ରରେ ଜମି ବିକ୍ରିକିଣା ଏବେ ‘ମିଲିୟନ ଡଲାର ବିଜନେସ୍‌’ରେ ପରିଣତ ହୋଇଛି। ଏହା ଏକ ଗୋଲକ ଧନ୍ଦା ବୋଲି କୁହାଯାଉଛି। ଯଦି ଚନ୍ଦ୍ର ଉପରେ କୌଣସି ନିର୍ଦ୍ଧିଷ୍ଟ ଦେଶର ମାଲିକାନା ହକ୍ ନାହିଁ ତେବେ କୌଣସି କମ୍ପାନୀ ଓ ଏଠାରେ ଜମି କିଣୁଥିବା ଲୋକଙ୍କର ମଧ୍ୟ କୌଣସି ହକ୍ ନାହିଁ। ଯଦି ଚନ୍ଦ୍ରରେ ଜମି କିଣାବିକା ଏକ ଗୋଲକ ଧନ୍ଦା ତେବେ ଏହା ଏବେ ପୃଥିବୀରେ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। କାରଣ ଲୋକଙ୍କୁ ଚନ୍ଦ୍ରରେ ୩ ହଜାର ଟଙ୍କା ଦେଇ ଏକରେ ଜମି କିଣିବାର ସୁଯୋଗ ମିଳୁଛି। ଏହା ଏକ ଜୁଆ ଖେଳିବା ଭଳି ବ୍ୟବସାୟ ହୋଇଥିଲେ ବି ଲୋକେ ଜୁଆରେ ପଇସା ଲଗାଇବା ପାଇଁ ସାମାନ୍ୟତମ ଚିନ୍ତା ବି କରୁ ନାହାନ୍ତି। ଲୋକେ ଭାବୁଛନ୍ତି କେବେ ଯଦି ଭାଗ୍ୟ ଖୋଲିଯାଏ ସେତେବେଳେ ଚନ୍ଦ୍ରରେ ଜମିକୁ ନେଇ ମାଲିକାନା ହକ୍ କଥା ଉଠେ, ସେତେବେଳେ ହୁଏତ ରେଜିଷ୍ଟ୍ରେସନ କପି ବହୁତ କାମରେ ଆସିପାରେ ।

You May Also Like

More From Author

+ There are no comments

Add yours