ଶବ୍ଦ ଓଡିଶା ବ୍ୟୁରୋ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଆଉ ୫ ଜଣ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ମେରଠ ଜିଲ୍ଲାର ରାଲି ଚୌହାନ ଗାଁରେ ଶନିବାର ଏହି ଦୁର୍ଘଟଣା ଘଟିଛି ।
କାଉଡ଼ିଆମାନେ ଜଳଲାଗି ପାଇଁ ହରିଦ୍ୱାରରୁ ଗଙ୍ଗା ନଦୀରୁ ପାଣି ନେଇ ଗାଡ଼ିରେ ଆସୁଥିଲେ। ସେମାନଙ୍କ ଗାଡ଼ି ରାଲି ଚୌହାନ ଗାଁ ଅତିକ୍ରମ କରୁଥିବା ବେଳେ ତାହା ତଳକୁ ଓହଳି ରହିଥିବା ଏକ ୧୧ କେଭି ବିଦ୍ୟୁତ୍ ତାରରେ ଘସି ହୋଇଯାଇଥିଲା।
ବିଦ୍ୟୁତ୍ ଝଟକାରେ ମନୀଷ ନାମକ ଜଣେ କାଉଡ଼ିଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ୪ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ୫ ଗୁରୁତରଙ୍କୁ ପୃଥକ ପୃଥକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
