ଚାଷୀଙ୍କ ଉନ୍ନତି ନାମରେ ନିଜର ପକେଟ୍ ଗରମ କରୁଛି ବିଜୁ ଜନତା ଦଳ: ବିଜେପି

ରାଜ୍ୟର ଚାଷୀକୁଳର ଉନ୍ନତିରେ ଶାସକ ବିଜୁ ଜନତା ଦଳକୁ କଷ୍ଟ ଲାଗେ । ଚାଷୀ ଗରିବ ହୋଇ ରହିଯାଉ, ତାହା ହିଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ । ଚାଷ ପାଇଁ ଖର୍ଚ୍ଚକୁ ହ୍ରାସ କରି କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର ୨୦୧୪ ମସିହାରୁ ନିରନ୍ତର ଭାବେ ଗୋଟିଏ ଗୋଟିଏ କୃଷିକଲ୍ୟାଣ ଯୋଜନାକୁ ସଫଳ ଭାବେ କାର୍ଯ୍ୟାନ୍ୱୟନ କରିଚାଲିଥିବାବେଳେ ଅନ୍ୟ ପଟେ ରାଜ୍ୟରେ ବିଜେଡି ସରକାର କ୍ରମାଗତ ଭାବେ ପ୍ରତାରଣା କରିଆସୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।ଚାଷୀଙ୍କ ମୃର୍ତିକା ଉର୍ବର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଜଣେ ଚାଷୀ କିଭଳି ଅଧିକ ଅମଳ କରିପାରିବ ସେ ନେଇ ମୋଦି ସରକାର ନୂଆ ଚିନ୍ତା ଓ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି । ନିମ୍ କୋଟେଡ ୟୁରିଆ, ନାନୋ ୟୁରିଆର ପ୍ରଚଳନ ଦ୍ୱାରା ଜମିର ଉର୍ବରତା ବୃଦ୍ଧି ପାଇବ, ଉତ୍ପାଦନ ବୃଦ୍ଧି ପାଇବ ଏବଂ କୃଷକର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଅନୁରୁପ ଭାବେ ପରିବେଶ ଓ ପ୍ରଦୁଷଣ ହ୍ରାସ ପାଇବ । ଗୋଟିଏ ଏକରରେ ଦୁଇବସ୍ତା ୟୁରିଆ ଆବଶ୍ୟକ ଥିବାବେଳେ ସେଠି ନାନୋ ୟୁରିଆ ମାତ୍ର ୫୦୦ଗ୍ରାମ ଆବଶ୍ୟକ ରହିଛି । ସେହିପରି ତରଳ ୟୁରିଆ (ଲିକ୍ୟୁଡି ୟୁରିଆ)ର ବ୍ୟବହାର ଚାଷୀଙ୍କ ପାଇଁ ବଡ ସହାୟକ ହେବା ସହିତ ଜମିର ଉର୍ବରତାକୁ ମଧ୍ୟ ସୁରକ୍ଷା ଯୋଗାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟାରେ ନିର୍ମିତ ନାନୋ ଓ ଲିକ୍ୟୁଡି ୟୁରିଆକୁ ଚାଷୀଙ୍କ ପାଖରେ ପହଂଚାଇ ଆୟକୁ ଦ୍ୱୁଗୁଣିତ କରିବାରେ ରାଜ୍ୟ ସରକାର ସହାୟକ ହୁଅନ୍ତୁ । ମାତ୍ର ଓଡିଶାରେ ବିଜୁ ଜନତା ଦଳର ଆଭିମୁଖ୍ୟ ଚାଷ ତଥା ଚାଷୀଙ୍କ ସପକ୍ଷରେ ନାହିଁ । ଚାଷୀଙ୍କ ନାମରେ ବସ୍ତା ବସ୍ତା ୟୁରିଆ ଆଣି କଳାବଜାରୀ ଓ ଘୋଟାଲା କରିବା ହେଉଛି ମୁଳ ଉଦ୍ଦେଶ୍ୟ । ପ୍ରକୃତରେ ରାଜ୍ୟ ସରକାର “ଚାଷୀଙ୍କ ଉନ୍ନତି ନାମରେ ନିଜର ପକେଟ୍ ଗରମ” ହେବ ସେକଥା ଚିନ୍ତା କରୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ବର୍ଷା ହେଲେ ପନିପରିବା ଦର ବୃଦ୍ଧି ପାଏନାହିଁ, ବରଂ ଅମଳ ବୃଦ୍ଧି ହୋଇଥାଏ । ମାତ୍ର ଅମଳ ହୋଇଥିବା ଶସ୍ୟକୁ ସଂରକ୍ଷଣ କରିନପାରିଲେ ଏହା ନଷ୍ଟ ହୋଇଥାଏ କିମ୍ବା କଳାବଜାରୀଙ୍କ ହାତକୁ ଚାଲିଯାଇଥାଏ ଏବଂ ଦର ନିୟନ୍ତ୍ରଣ ବାହାରୁ ଚାଲିଯାଏ । ଏ କଥା ବୋଧ ହୁଏ ରାଜ୍ୟର କୃଷିମନ୍ତ୍ରୀ ମହୋଦୟ ଭୁଲିଯାଇଛନ୍ତି । ପ୍ରକୃତିକୁ ଦୋଷ ଲଦି ଦେଇ ଏଭଳି ମିଥ୍ୟା ଏବଂ ବିଭ୍ରାନ୍ତକାରୀ ମନ୍ତବ୍ୟ ଦେବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।ରାଜ୍ୟରେ ଆଜି ଆକାଶଛୁଆଁ ପନିପରିବା ଦର ପାଇଁ ବିଜେଡି ସରକାର ସଂପୂର୍ଣ୍ଣ ଦାୟୀ । କିଛି ମାସ ତଳେ ମାତ୍ର ୫୦ ପଇସା ପ୍ରତି କେଜି ଦରରେ ବିକ୍ରି ହେଉଥିବା ଟମାଟୋର ଦର ଆଜି ୧୦୦ ଟଙ୍କାରେ ପହଂଚିଛି । କେବଳ ଟମାଟୋ ନୁହେଁ ବରଂ ଅନ୍ୟାନ୍ୟ ଆବଶ୍ୟକୀୟ ପନିପରିବା ଦର ମଧ୍ୟ ସାଧାରଣ ଲୋକଙ୍କ ପକେଟକୁ ବଡ ବାଧୁଛି । ୨୩ ବର୍ଷର ଶାସନରେ ଗୋଟିଏ ହେଲେ ନୂତନ ଶୀତଳ ଭଣ୍ଡାର ଖୋଲିବାରେ ଅସମର୍ଥ ବିଜେଡି ସରକାର ନିଜ ଅପାରଗତାକୁ ଲୁଚାଇବା ପାଇଁ “ଆଇ ମାଁ” କାହାଣୀ ଶୁଣାଇବାରୁ ନିବୃତ ରହି ଦରଦାମ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ସୁଲଭ ମୂଲ୍ୟରେ ଖାଉଟିଙ୍କୁ ପରିବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି ।

You May Also Like

More From Author

+ There are no comments

Add yours