ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସମୀର ମହାନ୍ତି

ରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ୨୦୧୮ରେ ସରକାରଙ୍କ ନଜରକୁ ଆସିଥିଲା । ସେବେଠାରୁ ଓଡିଶାର ଜନସାଧାରଣଙ୍କର ଏକ ବଡ ଦାବି ହେଲା ଯେ, ସରକାର ରତ୍ନ ଭଣ୍ଡାର ଖୋଲନ୍ତୁ ଓ ରତ୍ନ ଭଣ୍ଡାର ଭିତରେ ଥିବା ସମସ୍ତ ଅଳଙ୍କାର ସୁରକ୍ଷିତ ଅଛି ନା ନାହିଁ ତାହା ସ୍ପଷ୍ଟ କରନ୍ତୁ । ରତ୍ନ ଭଣ୍ଡାର ଚାବି ଖୋଲିବା ପାଇଁ ବିଧାନସଭାରେ ଏମିତିକି ହାଇକୋର୍ଟରେ ମଧ୍ୟ ଏନେଇ ମାମଲା ଚାଲିଛି । ସମସ୍ତେ ଚାହିଁ ବସିଛନ୍ତି ଯେ, ସରକାର କେବେ ରତ୍ନଭଣ୍ଡାର ଖୋଲିବେ । ଏଭଳି ଜଗନ୍ନାଥ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସ ସହ ଖେଳିବା ଘଟଣା ବିଶ୍ୱବ୍ୟାପୀ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥୀତ କରିଛି ଏବଂ ଏଭଳି ରାଜ୍ୟ ସରକାର ପୁରା ଓଡିଶା ପାଇଁ ବିପଦ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।ରାଜ୍ୟ ସରକାର କାହିଁକି ରତ୍ନଭଣ୍ଡାର ଖୋଲୁନାହାନ୍ତି ବୋଲି ଶ୍ରୀ ମହାନ୍ତି ମୌଳିକ ପ୍ରଶ୍ନ ନେଇ ଜଣେ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଭାବେ ମାନ୍ୟବର ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ରାଜ୍ୟ ସରକାର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ । ନଚେତ୍ ଜଣେ ସିଟିଙ୍ଗ ଜଜ୍‌ଙ୍କ ନେତୃତ୍ୱରେ ରତ୍ନଭଣ୍ଡାର ଖୋଲାଯାଇ ଇନଭେନଟୋରୀ ପ୍ରସ୍ତୁତ ହେଉ । ଅସଲ ଚାବି କେମିତି ହଜିଲା ଏବଂ ଡୁପ୍ଲିିକେଟ ଚାବି କ’ଣ ହେଲା ? ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ । ରତ୍ନଭଣ୍ଡାର ଚାବି ଗୁମରର ଅସଲ ସତ ଖୋଜି ବାହାର କରିବା ପାଇଁ ଗଠିତ ହୋଇଥିବା ରଘୁବୀର ଦାସ କମିଶନ ଶେଷରେ ବିଫଳ ହୋଇ ଜଗନ୍ନାଥପ୍ରେମୀଙ୍କୁ ନିରାଶ କରିଛନ୍ତି । ତାଙ୍କୁ ମଧ୍ୟ ଦଣ୍ଡିତ କରାଯାଉ ଏବଂ ତାଙ୍କ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କାକୁ ତାଙ୍କଠାରୁ ଆଦାୟ କରାଯାଉ ବୋଲି ଶ୍ରୀ ମହାନ୍ତି ହାଇକୋର୍ଟରେ ନିବେଦନ କରିଛନ୍ତି । ଆଇନମନ୍ତ୍ରୀଙ୍କ ଉତର ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଥିରୁ ରାଜ୍ୟ ସରକାର କେଉଁଭଳି ଚାଲିଛି ସାଧାରଣ ଲୋକ ଜାଣିପାରୁଥିବେ । ଓଡିଶା ସରକାର ଏକ ମୁଣ୍ଡବିହିନ ସରକାର । ଆଇନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଜଗନ୍ନାଥ ପ୍ରେମୀଙ୍କ ଆଘାତ ଦେଇଛି । ମହାପ୍ରଭୁ ଜଗନ୍ନାଥଙ୍କ ମହଣ ମହଣ ସୁନା ରତ୍ନଭଣ୍ଡାରରେ ଗଛିତ ରହିଛି । ୧୯୭୮ମସିହାରେ ତତ୍କାଳୀନ ରାଜ୍ୟପାଳ ଶଙ୍କର ଦୟାଲ ଶର୍ମାଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇ ରତ୍ନଭଣ୍ଡାର ଖୋଲାଯାଇଥିଲା । ଏହି କମିଟିରେ ଡ.ହରେକୃଷ୍ଣ ମହତାବ, ଡ. ରାଧାନାଥ ରଥ, ନିତ୍ୟାନନ୍ଦ କାନୁନଗୋଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନେ ଥିଲେ । ତା ପରଠାରୁ ଆଜି ପର୍ଯ୍ୟନ୍ତ ରତ୍ନଭଣ୍ଡାର ଖୋଲାଯାଇନାହିଁ କି ତାର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇନାହିଁ କାହିଁକି ? ଗଜପତି ମହାରାଜ, ଏଏସଆଇ, ସେବାୟତ, ଭକ୍ତମହଲ ସମେତ ବିଭିନ୍ନ ମହଲରୁ ବାରମ୍ବାର ଦାବୀ ସତ୍ୱେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ପଛଘୁଂଚା କାହିଁକି ଦେଉଛନ୍ତି? ରାଜ୍ୟ ସରକାର କାହିଁକି ଉତରଦାୟିତ୍ୱ ନେଉନାହାନ୍ତି ? କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସ ପାଇଁ ଯଥାଶୀଘ୍ର ରତ୍ନଭଣ୍ଡାର ଖୋଲାଯିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

You May Also Like

More From Author

+ There are no comments

Add yours