ବାହନଗା ରେଳ ଦୁର୍ଘଟଣାରେ ସିଆରଏସ ରିପୋର୍ଟକୁ କାହିଁକି ସାର୍ବଜନୀନ କରାଯାଇ ନାହିଁ ପ୍ରଶ୍ନ ଆଣିଲା କଂଗ୍ରେସ

ବାହାନଗାର ମର୍ମତୁନ୍ଦ ତଥା ଭୟାବହ ରେଳଦୁର୍ଘଟଣା ସଂପର୍କରେ ଗତ ଜୁନ-୨୮ ତାରିଖରେ ରେଳବାଇ ସୁରକ୍ଷା କମିଶନ (ସିଆରଏସ) ତାଙ୍କର ରିପୋର୍ଟ ସରକାରଙ୍କ ପାଖରେ ଉପସ୍ଥାପନ କରିଛନ୍ତି । ମାତ୍ର ଆଜକୁ ୪ଦିନ ବିତିଯାଇଥିଲେ ମଧ୍ୟ ସେହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ । ଏହି ରିପୋର୍ଟକୁ ଚାପିରଖି ରେଳମନ୍ତ୍ରୀ ନିଜର ଉତର ଦାୟୀତ୍ୱକୁ ଏଡାଇ ଦେବାପାଇଁ ଚେଷ୍ଟାକରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରେଳସୁରକ୍ଷା କମିଶନଙ୍କ ରିପୋର୍ଟରେ ବାହାନଗା ରେଳଦୁର୍ଘଟଣା କୌଣସି ଷଡ଼ଯନ୍ତ୍ର ପାଇଁ ନୁହଁ ବରଂ ଯାନ୍ତ୍ରିକ/ବୈଷୟିକ ତୃଟି ବା ସିଷ୍ଟମ ଫେଲିୱର ବୋଲି ଦର୍ଶାଯାଇଛି । ଏହାର ଅର୍ଥ ହେଉଛି ଖୋଦ ରେଳମନ୍ତ୍ରୀ ଏଥିପାଇଁ ଉତରଦାୟୀ ଏବଂ ସେହି ଦୃଷ୍ଟିରୁ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଆଜି କଂଗ୍ରେସ ପକ୍ଷରୁ ଦଳର ପ୍ରବକ୍ତା ଶ୍ରୀ ସୁର୍ଦଶନ ଦାସ ଦାବି କରିଛନ୍ତି । ସେ କହିଛନ୍ତି ଗତକାଲି ଇଷ୍ଟକୋଷ୍ଟ ରେଲୱର ମହାପ୍ରବନ୍ଧକ ଶ୍ରୀମତୀ ଅର୍ଚ୍ଚନା ଯୋଷୀଙ୍କୁ ବଦଳି କରି ରେଳମନ୍ତ୍ରୀ ତାଙ୍କର ଉତର ଦାୟୀତ୍ୱରୁ ଖସିଯିବା ଦୁର୍ଭାଗ୍ୟଜନକ । ସିଷ୍ଟମ ଫେଲିୱର ଯଦି ବାହାନଗା ରେଲଦୁର୍ଘଟଣାର କାରଣ ତେବେ ସେଥିପାଇଁ ଅନ୍ୟ କେହି ନୁହଁ ବରଂ ଖୋଦ ରେଳବିଭାଗ ଦାୟୀତ୍ୱରେ ଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବହିଁ ଦାୟୀ । 

ଜୁନ ୨ ତାରିଖର ଏହି ଭୟାବହ ଓ ହୃଦୟବିଦାରକ ରେଳ ଦୁର୍ଘଟଣା ପରେ ଖୋଦ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ବାହାନଗା ଆସି ଘୋଷଣା କରିଥିଲେ ଯେ ଏହି ଦୁର୍ଘଟଣା ପାଇଁ ଦାୟୀ କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ ଏବଂ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ସିଆରଏସର ରିପୋର୍ଟର ଆଧାରରେ ବର୍ତମାନ ଯେତେବେଳେ ଖୋଦ ତାଙ୍କର ମନ୍ତ୍ରୀ ଏଥିପାଇଁ ଉତରଦାୟୀ ସେତେବେଳ ପ୍ରଧାମନ୍ତ୍ରୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେକି ବୋଲି କଂଗ୍ରେସ ତରଫରୁ ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । 

ବର୍ତମାନ ରେଳର ସର୍ବନିମ୍ନ ଭିତିଭୂମି ଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ଅବସ୍ତାରେ ଅଛି । ରେଳ ବିଭାଗର ୨ଲକ୍ଷ ୭୨ ହଜାର ପଦବୀ ଖାଲି ପଡ଼ିଛି । ରେଳ ଧାରଣା ଗୁଡ଼ିକର ମରାମତି ହେଉନାହିଁ । ଷ୍ଟେସନ ମାଷ୍ଟର, ସିଗ୍‌ନାଲ କର୍ମଚାରୀ, ସୁରକ୍ଷା କର୍ମଚାରୀ ମାନଙ୍କର ଘୋର ଅଭାବ ରହିଛି । ରେଳବାଇର ଅଫିସର ଓ କର୍ମଚାରୀମାନେ ଅଧିକ ସମୟ କାମକରିବାକୁ ବାଧ୍ୟ ହେଉଛନ୍ତି ଏବଂ ସେମାନେ ଗଭୀର ମାନସିକ ଚାପରେ କାର୍ଯ୍ୟ କରୁଛନ୍ତି । ଯାହାଫଳରେ କି ରେଳ ଦୁର୍ଘଟଣା ଘଟୁଛି । ବାହାନଗା ରେଳ ଦୁର୍ଘଟଣା ପରେ ପରେ ଏହି ମାସକ ଭିତରେ ୪ଟି ରେଳ ଦୁର୍ଘଟଣା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ଶ୍ରୀ ଦାସ ଅଭିଯୋଗ ଆଣିବା ସହିତ ରେଳମନ୍ତ୍ରୀ ଏହି ଉତରଦାୟୀତ୍ୱରୁ ନିଜକୁ ମୁକ୍ତ କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ।

ଶ୍ରୀମତୀ ରଶ୍ମି ମହାପାତ୍ର ଏଥିରେ ଯୋଗଦେଇ ବିଜେପି ସରକାରର ରେଳବାଇର ଘରୋଇ କରଣର ତୀବ୍ର ବିରୋଧ କରିଥିଲେ । ରେଳବାଇର ମୌଳିକ ଭିତିଭୂମି ପ୍ରତି ଦୃଷ୍ଟି ନଦେଇ କେବଳ ବୁଲେଟ ଟ୍ରେନ ବା ବନ୍ଦେ ଭାରତ ଟ୍ରେନ ଚଳାଇବା ଓ ଷ୍ଟେସନଗୁଡ଼ିକର ଉନ୍ନତି କରଣ ଉପରେ ଗୁରୁତ୍ୱ ଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ । ବାହାନଗା ରେଳଦୁର୍ଘଟଣାର ଉତରଦାୟୀତ୍ୱ ନେଇ ରେଳମନ୍ତ୍ରୀ ଶ୍ରୀଯୁକ୍ତ ବୈଷ୍ଣବ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଥିଲେ । ଅନ୍ୟତମ ପ୍ରବକ୍ତା ଶ୍ରୀ କୃଷ୍ଣଚନ୍ଦ୍ର ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

You May Also Like

More From Author

+ There are no comments

Add yours