ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଉଛନ୍ତି ବିଶ୍ୱନିୟନ୍ତା । ମହଣ ମହଣ ସୁନାର ଅଳଙ୍କାରରେ ଅଳଙ୍କୃତ ହୋଇ ଭକ୍ତଙ୍କୁ ଦେଉଛନ୍ତି ଦିବ୍ୟ ଦର୍ଶନ। ଆଜି ସକାଳ 7ଟାରେ ରଥାରୂଢ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ସମ୍ପାଦନ ହେବାପରେ ମଇଲମ, ତଡ଼ପଲାଗି ହୋଇ ମହାପ୍ରଭୁଙ୍କର ଚାଲିଛି ଅବକାଶ ନୀତି। ପରେ ରାତ୍ର 10ଟାରୁ 11ଟା ମଧ୍ୟରେ ସୁନାବେଶ ମଇଲମ ହେବ। ରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବଡ଼ଠାକୁର। ସୁନା ଏହି ଅଳଙ୍କାରରେ ରହିଛି ହସ୍ତ, ପାଦ, ମୁକୁଟ, ମୟୂରଚନ୍ଦ୍ରିକା, ଚୂଳପଟି, କୁଣ୍ଡଳ, ରାହୁରେଖା, ମାଳ, ହାର, ଅଗସ୍ତୀ, କଦମ୍ବ, କାନ୍ତି, ମୟୂର, ଚମ୍ପା, ଶ୍ରୀଚିତା, ଶଙ୍ଖ, ଚକ୍ର ଓ ଗଦା । ଏହା ବ୍ୟତୀତ ସୁନାର କିରିଟ, କୁଣ୍ଡଳ, ରତ୍ନ ଖଚିତ ଘାଗଡା ମାଳି, ବାହାଡା ମାଳି, ତାବିଜ ମାଳି, ହରିଡା କଦମ୍ବ ମାଳି, ବାଘନଖୀ ମାଳି, ତିଳକ, ଆଡକାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଓ ତଗଡି ଆଦି ଆଭୂଷଣ ଲାଗି କରାଯାଇଥାଏ ତ୍ରିମୂର୍ତ୍ତୀଙ୍କ ଦେହରେ ।