
ମହାପ୍ରଭୁଙ୍କ ରଥ ନିର୍ମାଣ ଆଗେଇ ଚାଲିଛି । ତିନି ରଥରେ ଚାଲିଚି ବେଦୀ ସିଂହାସନ କାର୍ଯ୍ୟ ।ବେଦୀ ନିର୍ମାଣ ନିମନ୍ତେ ତିନିରଥରେ ୫ ଟି ଲେଖାଁଏ ଜଗତପୃଷ୍ଠ ଶେଣୀ ପଡିବା ସହ ତାର ଦୁଇ ପାର୍ଶ୍ଵରେ ତିନୋଟି ଲେଖାଁଏ ‘ବାହୁଟ ଫାଳିଆ’ ଫିଟିଙ୍ଗ ହୋଇଚି। ତିନିରଥରେ ‘କନକମୁଣ୍ଡି’ ସେଟିଙ୍ଗ ହୋଇଛି। ‘କନକମୁଣ୍ଡି’ ତିନିରଥରେ ସଂସ୍ଥାପନ ପୂର୍ବରୁ ରଥର ପ୍ରଥମ ଭୂଇଁ ଚାରିନାହାକା ଚାରି ପାର୍ଶ୍ୱରେ ୭/୧୨ ସାଇଜର ଚାରିଗୋଟି ‘ଚୁନାଟ ପଟା’ ବାଡ଼ିଆ ଯାଇ ପ୍ରତି ଚୁନାଟ ପଟାରେ ପାଞ୍ଚ ଟି ଲେଖାଁଏ ବିନ୍ଧ ହୋଇ ସେହି ବିନ୍ଧରୁ ୨୦ଟି କାଣ୍ଡ ଲାଗି ହୋଇ କନକ ମୁଣ୍ଡିରେ ସଂଯୋଗ ହୋଇଛି। ଏଥିସହ ଚୁନାଟ ପଟା ସନିକଟ ଚାରି ନାହାକାରୁ ମଧ୍ୟ ଗୋଟିଏ ଗୋଟିଏ କାଣ୍ଡ ଉଠି ମୋଟ ୨୪ ଗୋଟି କାଣ୍ଡ କନକ ମୁଣ୍ଡିରେ ସଂଯଗ ହୋଇ କନକ ମୁଣ୍ଡି ତିନିରଥ ରେ ସଂସ୍ଥାପନ ହୋଇଅଛି ତିନିରଥର ବେଦିରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଏଥିସହ ତିନିରଥର ପାର୍ଶ୍ୱ କୋଣ ମାନଙ୍କୁ ଛାଡ଼ି ରଥ ଉପରେ ପଟା ବାଡ଼ିଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନିରଥର ‘ଦୁଆର ବେଢ଼ା’ ରଥକୁ ଉଠିଲା ପରେ ରଥ ଚାରି ପାର୍ଶ୍ୱ କୋଣ ରେ ପଟା ବାଡ଼ିଆ ଯିବ। ଏଥିସହ ତିନିରଥର ଘୋଡା ବନ୍ଧାଯିବା ପାଇଁ ୨୦ ଫୁଟିଆ ‘ଇଶ’ରେ ବିନ୍ଧ ହୋଇ ଦୁଇଟି ଲେଖାଁଏ ‘ଗୁଣ୍ଠି’ ସଂଯୋଗ ହୋଅଛି। ଏହି ଗୁଣ୍ଠିରେ ଘୋଡା ଜୁଆଳି ଫିଟିଙ୍ଗ କରାଯିବ।ରୂପକାର ସେବକ ମାନେ ତିନିରଥର ପ୍ରଭାରେ ରାହୁରୂପ ଖୋଦେଇ ଜାରି ରଖିଛନ୍ତି। ଚିତ୍ରକାର ସେବକ ମାନେ ତିନି ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ପାର୍ଶ୍ୱ ଦେବ ବେବୀ, ସିଂହାସନ, ହଂସ ପଟା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରୀରଖିଛନ୍ତି।ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଧୂଳି ଦଣ୍ଡା, ପ୍ରଭା ବିଡ଼ିଆ କଣ୍ଟା ନିର୍ମାଣ କରୁଛନ୍ତି।