Wed. Oct 14th, 2026

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ ସମ୍ଵର୍ଦ୍ଧିତ ହେଲେ ୮ ରକ୍ତଦାତା ୨ ଅନୁଷ୍ଠାନ ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ତାଲିମ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ଦୁର୍ଗାଦତ୍ତ ଦାଶଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ଯୋଗଦେଇ ରକ୍ତଦାନକୁ ସେବାର ଉତ୍କୃଷ୍ଟତମ ସୋପାନ ବୋଲି କହିବା ସହ ସମସ୍ତେ ରକ୍ତଦାନ ପାଇଁ ଆଗେଇ ଆସିବା ଉଚିତ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଅତିଥି ଭାବେ ମଂଚାସୀନ ଥିଲେ। ୧୮ ରୁ ୬୫ ବର୍ଷ ବୟସ ମଧ୍ୟରେ ଥିବା ଯେ କୌଣସି ବ୍ୟକ୍ତିର ଶରୀର ଓଜନ ୪୫ କିଗ୍ରାରୁ ଅଧିକ, ନାଡିର ଗତି ୬୦ ରୁ ୧୦୦ ମଧ୍ୟରେ ଓ ନିୟମିତ, ରକ୍ତଚାପ ସିଷ୍ଟୋଲିକ ୧୦୦ ରୁ ୧୪୦ ମି.ମି. ଓ ଡାଇଷ୍ଟୋଲିକ ୬୦ ରୁ ୯୦ ମଧ୍ୟରେ, ହିମୋଗ୍ଲୋବିନ ସ୍ତର ୧୨.୫ ଗ୍ରା ବା ଅଧିକ ଏବଂ ଶରୀର ତାପମାତ୍ରା ୩୭ ଡିଗ୍ରି ସେଲସିୟସରୁ ଅଧିକ ନଥିବ ତେବେ ସେ ରକ୍ତଦାନ କରିପାରିବେ ବୋଲି ସଭାରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅବସରରେ ରକ୍ତଦାତା ଭାବେ ସ୍ଵାଧିନ ନାଏକ, ଶୈଳେନ୍ଦ୍ର ବାରିକ, ଗୋପେଶ ପଣ୍ଡା, ଚନ୍ଦ୍ରଶେଖର ମହାପାତ୍ର, ସସ୍ମିତା ହୋତା, ତ୍ରିଲୋଚନ ପାଣିଗ୍ରାହୀ, ଅଞ୍ଜଳି ପାଣିଗ୍ରାହୀ, ଜନାର୍ଦନ ଖମାରୀ ଏବଂ ରକ୍ତଦାନ ଶିବିର ଆୟୋଜନରେ ସଫଳତା ପାଇଁ ଦିବ୍ୟ ଉର୍ଜା ରକ୍ତଦାତା ସେବା ସଙ୍ଘ ଓ ବୁଢାରଜା ଯୁବକ ସଙ୍ଘ ଙ୍କୁ ସମ୍ମାନିତ କରାଯାଇଥିଲା। ସଭା ପରେ ଏକ ସଚେତନତା ମୋଟର ସାଇକେଲ ରାଲିକୁ ଆରକ୍ଷୀ ଅଧୀକ୍ଷକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସ୍ଵଚ୍ଛ ଭାରତ ଅଭିଯାନ, ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର, ବୁଢାରଜା ଯୁବକ ସଂଘ, ଦିବ୍ୟ ଉର୍ଜା ରକ୍ତଦାତା ସେବାସଂଘ, ମାରୱାଡି ଯୁବକ ସଂଘ ଆଦିର ସଭ୍ୟମାନେ ଏହି ରାଲିରେ ଭାଗନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାହାରି ସହର ପରିକ୍ରମା କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ରକ୍ତଦାତା ସଂଘର ସଭାପତି ମନୋଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ମନୋରଂଜନ ତ୍ରିପାଠୀ, ପ୍ରମୋଦ ସାହୁ ପ୍ରମୂଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *