ଅଣସର ସମୟରେ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆଜି ଶ୍ରୀଅଙ୍ଗରେ ଖଳି ଲାଗିହେବ। ଗତକାଲି ଚକାବିଜେ ପରେ ଆଜି ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ମୋଦକ (ଯାହାକୁ ଦଶମୂଳ ମୋଦକ ବୋଲି କୁହାଯାଏ) ମଧ୍ୟ ମହାପ୍ରଭୁ ଙ୍କୁ ଲାଗି ହେବ। ପୂର୍ଣ୍ଣିମା ପରେ ଜ୍ଵର ରେ ପଡିଥିବା ମହାପ୍ରଭୁ ତୁଳସୀ, ରଙ୍ଗୀନ୍ ଫୁଲ ବା ବାରଲାଗି ପିନ୍ଧନ୍ତି ନାହିଁ। ଆଜି କିନ୍ତୁ ସୁସ୍ଥ ହେଉଥିବା ମହାପ୍ରଭୁ ବାରଲାଗି ପିନ୍ଧିବେ, ତୁଳସୀ ଲାଗି ହେବେ। ଶୀତଳ ଭୋଗ ସର୍ପ ମଣୋହି ହେଉଥିବା ଅଣସର ପିଣ୍ଡିରେ ଆଜି ଠାରୁ ଭୋଗ ସମୟରେ ଘଣ୍ଟ ବାଜିବ। ଏହି ଶବ୍ଦ ଶୁଣିବା ପାଇଁ ଭକ୍ତ ଅପେକ୍ଷା କରିଛନ୍ତି, କାରଣ ଏହା କେବଳ ଘଣ୍ଟଶବ୍ଦ ନୁହେଁ, ଏହା ଭକ୍ତଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତ୍ତା ଦିଏ। ଖଳିଲାଗି ଏକାଦଶୀ ଆମ ପାଇଁ ଏକ ଶୁଭ ଦିନ ଅଟେ। ଆଜିଠାରୁ ସେ’ ତାଙ୍କର ଅତି ପ୍ରିୟ ତୁଳସୀ ଲଗେଇବେ। ଭୋଗରେ ତୁଳସୀ ପଡିବ। ମହାପ୍ରଭୁଙ୍କ ଠାରେ ରଜ ପର୍ବରେ କିଛି ବିଶେଷ ନୀତି ନାହିଁ। ରଜ ଏକ ଗଣପର୍ବ, ଏକ ଜନପର୍ବ।


