Wed. Oct 14th, 2026

କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଲେ 5T ସଚିବ ଭି.କେ. ପାଣ୍ଡିଆନ । ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ।

ଏହି ଅବସରରେ ସାଧାରଣ ଲୋକଙ୍କୁ ଉଦବୋଧନ ଦେଇ 5T ସଚିବ କହିଥିଲେ, ‘ନୂଆ ରୂପରେ ନଜର ଆସିବ ଘଟଗାଁର ତାରିଣୀ ମନ୍ଦିର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ ମନ୍ଦିରର ରୂପାନ୍ତରଣ କାମ ଓ ସମଲେଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଚାଲିଛି । ତାରାତାରିଣୀ ମନ୍ଦିରର ରୂପାନ୍ତରଣ ସରିଥିବା ବେଳେ ଏବେ ପାଳି ଘଟଗାଁ ତାରିଣୀ ମନ୍ଦିରର । କାମ ଆରମ୍ଭ ହେଲେ ୬ ମାସରେ ସରିବ । ଏଥିପାଇଁ ଆପଣମାନଙ୍କ ସହଯୋଗ ଦରକାର ।’

ସବୁ ମନ୍ଦିରର ରୂପାନ୍ତରଣ ବେଳେ ରାସ୍ତା ପ୍ରଶସ୍ତିକରଣ ହେଉ, କି ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଧାରଣ ଲୋକ ତ୍ୟାଗ କରିଛନ୍ତି । ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇଛନ୍ତି ଭି.କେ. ପାଣ୍ଡିଆନ । ତେଣୁ ଘଟଗାଁବାସୀଙ୍କୁ ସେହିପରି ସହଯୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଏହି ଅବସରରେ ମାଆ ତାରିଣୀ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ଉପସ୍ଥିତ ଜନସାଧାରଙ୍କୁ ଉଦବୋଧନ ଦେଇ ମାଆ ଡାକିଲେ ମୁଁ ଆସିଲି ବୋଲି କହିଥିଲେ । ଆଗକୁ ସେ କହିଥିଲେ, ‘୬ ମାସରେ ମନ୍ଦିରର ରୂପରେଖ ବଦଳିବ । ଏହାସହ ଗୁଣ୍ଡିଚା ଘାଗି ଜଳପ୍ରପାତର ହେବ ଉନ୍ନତିକରଣ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଟଙ୍କା ମଞ୍ଜୁର କରିବେ ।’

ଘଟଗାଁ ମିନି ଷ୍ଟାଡିୟମରେ ପହଞ୍ଚି ଲୋକଙ୍କ ସହ ହାତ ମିଳାଇବା ସହ ସେମାନଙ୍କ ଦାବିପତ୍ର ଗ୍ରହଣ କରିବା ସହ ଚାଷ, ଜଳସେଚନ ଦାବି ଥିଲେ ଶୀଘ୍ର ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ 5T ସଚିବ । ବିଭିନ୍ନ ଧର୍ମାନୁଷ୍ଠାନର ଉନ୍ନତି ପାଇଁ ସପ୍ତାହକ ମଧ୍ୟରେ ଖୁସି ଖବର ପାଇବେ ବୋଲି କହିବା ସହ ସ୍ବଚ୍ଛତାର ସହ କାମ କରିବାକୁ ଆହ୍ବାନ ଦେଇଥିଲେ । ୧୮ ତାରିଖ ଭିତରେ ମୁଖ୍ୟମନ୍ତ୍ରୀ କାମ ପାଇଁ ମଞ୍ଜୁରୀ ଦେବେ ବୋଲି କହିଥିଲେ ।

ସେହିପରି କେନ୍ଦୁଝର ଜିଲ୍ଲାର ସବୁ ହାଇସ୍କୁଲ ଓ କଲେଜ 5T ଉକ୍ରମରେ ରୂପାନ୍ତରଣ ହେବ । ୬ ମାସରେ ନୂଆ ଓ ସ୍ମାର୍ଟ କ୍ଲାସରୁମରେ ପିଲା ପଢ଼ିବେ । ପିଲା ପଢ଼ିଲେ ନୂଆ ଓଡ଼ିଶା ଗଠନ ହେବ, ଏହା ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ବଚ୍ଛତାର ସହ କାମ କରିବା ବୋଲି ଆହ୍ବାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *