Wed. Oct 14th, 2026

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଆଗଆଣି ‘ଢମକ’ ପଡିବା ସହ ଦର୍ପଦଳନ ରଥର ଆଗଆଣି ଏବଂ ପଛଆଣି ଢମକ ପଡି କଣ୍ଟା ବାଡ଼ିଆ ଶେଷ ହୋଇଛି। ଏହି ଢମକ ଚାରିନାହାକାର ଭିତର ପଟ ଏବଂ ବାହାର ପଟକୁ କାଗି ପଡ଼ିଅଛି ଏହା ଉପରେ ବେଦୀ ନିର୍ମାଣ ପାଇଁ ପଟା ବାଡ଼ିଆ ଯିବ। ତିନିରଥର ଢମକ ପଡିବା ପରେ ତିନିରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ପ୍ରେମ ନିର୍ମାଣ ଶେଷ ପରେ ତିନିରଥରେ ସଂଯୋଗ ହୋଇଅଛି। ଏହି ତୃତୀୟ ଭୂଇଁ ୪ ଗୋଟି ଚଉତା ବର୍ଗା କାରରେ ସଂଯୋଗ ହୋଇ ତାର ଚାରି କୋଣରେ ୪ ଟି ଭୂଇଁ ଗୋଡ଼ ଉଠି ଭୁଇଁର ଚାରି ପଟ ପ୍ରତି ପାର୍ଶ୍ୱରେ ୬ ଟି ଲେଖାଁଏ ଛିଆଣ ସଂଯୋଗ ହୋଇ ତୃତୀୟ ଭୂଇଁ ବା ଅଗ ଭୂଇଁ ଉଠିଅଛି। ରୂପକାର ସେବକ ମାନେ ତିନିରଥ ର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିବା ସହ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡାରେ ପଦ୍ମ ଡାଳି ଲତା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୋଦେଇ ଶେଷ ପରେ ଚିତ୍ରକାର ମାନେ ସେଥିରେ ରଙ୍ଗ ଚିତ୍ର କରିବେ । ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ ର ତୃତୀୟ ଭୂଇଁ କଣ୍ଟା ନିର୍ମାଣ ସାରି ରଥ ଖଳାକୁ ଯୋଗାଇବା ପରେ ତିନି ରଥର ପୋଟଳ କଣ୍ଟା, ମୂଳ କଇଁଚି କଣ୍ଟା ଏବଂ ତାଗ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *