ଶ୍ରୀଜଗନ୍ନାଥ ମହାପ୍ରଭୁ ଓଡ଼ିଆ ଜାତିର ମଉଡ଼ମଣି । ତାଙ୍କ ବିନା ଓଡ଼ିଆ ଜାତିର ଅସ୍ଥିତ୍ୱ ନାହିଁ । ଶାସ୍ତ୍ର ତାଙ୍କୁ ସମସ୍ତ ବ୍ରହ୍ମାଣ୍ଡର ଅଧିଶ୍ୱର କହିଛି । ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ବୋଲି ସେ ପୁରୁଷୋତ୍ତମ । କାହା ଆଖିରେ ଶ୍ରୀକୃଷ୍ଣ ହେଲେ ଆଉ କାହା ଆଖିରେ ଶ୍ରୀରାମଚନ୍ଦ୍ର । ପ୍ରତିଟି ଓଡ଼ିଆର ସେ ଆଦରର
ଜଗା କାଳିଆ, କଳା ଠାକୁର। ତୁ ତା, ରେ ରା ରେ ସନ୍ତୁଷ୍ଟ ହେଉଥିବା ଏ ସମଗ୍ର ଆର୍ୟ୍ୟବର୍ତ୍ତର ଏକମାତ୍ର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ । ପ୍ରେମରେ, ଭାବରେ ଭକ୍ତ ତାଙ୍କୁ କହେ କାଳିଆ। କିଟିମିଟି କଳାମୁହଁ, ଧଳା ଧଳା ବଡ଼ ବଡ଼ ଆଖି। ଭକ୍ତକୁ ସେ ବାନ୍ଧେ ନିଇତି। ଆମକୁ ହସାଏ, ଆମକୁ କନ୍ଦାଏ। ହେଲେ କହିଲେ ଦେଖି କାଳିଆର ଏମିତି ରୂପ କ’ଣ ପାଇଁ ? କ’ଣ ପାଇଁ କାଳିଆର ମୁହଁଟା କଳା ଆଉ ଦେହଟା ଧଳା ?
କଳାଠାକୁରଙ୍କ ଶ୍ରୀମୁଖ କଳା ହୋଇଥିବା ବେଳେ ଅଧର ପାଖରୁ ତଳକୁ ବା ବିଗ୍ରହଙ୍କ ନିମ୍ନ ଅଂଶଟି ଧଳା ରଙ୍ଗର। ମଇଲମ ବା ବେଶ ଉଲାଗି ବେଳେ ଆପଣ ଏ ଦୃଶ୍ୟ ଦେଖିଥିବେ। ସାଧାରଣ ଦର୍ଶକ, ଭକ୍ତ ବା ଶ୍ରଦ୍ଧାଳୁ ଏହାକୁ ଦେଖି ନିଶ୍ଚିତ ଆଚମ୍ବିତ ହେଉଥିବେ। ଜଣେ ବ୍ୟକ୍ତିର ମୁହଁର ରଙ୍ଗ ଗୋଟିଏ, ଆଉ ଦେହର ରଙ୍ଗ ଆଉ ଗୋଟିଏ ହୋଇପାରେ କେମିତି? ଏହି ପ୍ରଶ୍ନ ଦିନେ ବିଭ୍ରାନ୍ତ କରିଥିଲା ଜଗତଗୁରୁ ଆଦି ଶଙ୍କରାଚାର୍ୟ୍ୟଙ୍କୁ। ଆଉ ଏହି ଦିବ୍ୟ ବିଗ୍ରହଙ୍କ ସମନ୍ୱୟ ଭାବକୁ ବୁଝିପାରି ଲେଖିଥିଲେ ଶ୍ଲୋକଟିଏ ‘ଜଗନ୍ନାଥାଷ୍ଟାକମ୍’ରେ। ଲେଖିଥିଲେ, ‘‘ରସାନନ୍ଦୋ ରାଧା ସରସ ବପୁରାଲିଙ୍ଗନ ସୁଖମ୍, ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ।” ଶ୍ଲୋକର ଏହି ୬ଷ୍ଟ ପଦରେ ଜଗନ୍ନାଥଙ୍କୁ ରାଧା ଏବଂ କୃଷ୍ଣଙ୍କ ସମ୍ମିଳିତ ବିଗ୍ରହ ବୋଲି ସେ ବର୍ଣ୍ଣନା କରିଛନ୍ତି । ଜଣେ ଜଣଙ୍କୁ କୁଣ୍ଢାଇ ପକାଇଲେ। ଜଣଙ୍କର ମୁହଁ ଦିଶେ ଆଉଜଣଙ୍କ ପିଠି। ବାସ୍ ଏହି ତତ୍ବ ହିଁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂର୍ତ୍ତିତତ୍ବର ରହସ୍ୟ ।
+ There are no comments
Add yours