Thu. Oct 15th, 2026

ମା’ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ଗଇଣ୍ଠାଳ ଫିଟିନି, ପ୍ରଭୁ ଏତେ ଗାଧୋଇଲେ ଯେ ଜ୍ୱରରେ ପଡିଲେ । ସୁସ୍ଥ ହୋଇଛନ୍ତି କି ନାହିଁ ଭାଇଭଉଣୀଙ୍କ ସହ ୫ଦିନ ହେବ ଯାଇଛନ୍ତି ମା’ ଗୁଣ୍ଡିଚା ମନ୍ଦିର । ବଡ଼ ଭଉଣୀ ମା ବିମଳାଙ୍କ ପରାମର୍ଶରେ ଆଷାଢ ଶୁକ୍ଳ ପଞ୍ଚମୀ ତିଥିରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିଲେ ମା ସାଆନ୍ତାଣୀ । ମହାପ୍ରଭୁ ଖୁବ୍ଶୀଘ୍ର ଫେରିବା ପାଇଁ ଦେଇଥିଲେ ପ୍ରତିଶୁତି । ଆଉ ପ୍ରତିଶୁତି ରକ୍ଷା କରିବାକୁ ଯାଇ ରଥ ଆଜି ଦକ୍ଷଣ ମୋଡ ହୋଇଛି । ଶୁକ୍ରବାର ସରିଛି ହେରା ପଞ୍ଚମୀ। ଅନ୍ନଦାତ୍ରୀ ମା ଲକ୍ଷ୍ମୀ-ଶ୍ରୀଜଗନ୍ନାଥଙ୍କ ପ୍ରେମ-ମାନ -ଅଭିମାନର ପର୍ବ ଥିଲା ହେରା ପଞ୍ଚମୀ । ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଲେଉଟିଛନ୍ତି ବଡ଼ ଦେଉଳ। ଆଉ ମହାପ୍ରଭୁ ଆଜ୍ଞାମାଳ ଦେଇ ପ୍ରତିଶ୍ରୁତି ଦେଇଛନ୍ତି, ଶୀଘ୍ର ଫେରୁଛି ବଡ଼ ଦେଉଳ । ମାନବୀୟ ଲୀଳାର ପରିପ୍ରକାଶ ହେଉଛି ମହାପ୍ରଭୁଙ୍କ ନୀତିକାନ୍ତିରେ । ଆଉ ଆଜି ନିଜ ପ୍ରତିଶ୍ରୁତି ପାଳି ରଥ ଦକ୍ଷିଣମୋଡ ହୋଇଛି । ତିନିରଥ ଦକ୍ଷିଣମୋଡ ହୋଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରହିଛି । ବାହୁଡାଯାତ୍ରା ପାଇଁ ଉପକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ହେଲେ ମଜା କଥାଟିଏ ଏଇଠି ଅଛି। ଆଜି ରଥ ଦକ୍ଷିଣମୋଡ ହେଲାବେଳେ ପ୍ରଥମେ ମା’ ସୁଭଦ୍ରାଙ୍କ ରଥ ମୋଡ ହୋଇଥିଲା। ହେଲେ କ’ଣ ଆପଣ ଜାଣନ୍ତି କି ? ଯଦି ଦାରୁବ୍ରହ୍ମ ମାନବୀୟ ଲୀଳା କରୁଛନ୍ତି ତେବେ ପ୍ରତି କଥାରେ କିଛି ନା କିଛି ଶିକ୍ଷା ଏ ସମାଜକୁ ସେ ଦେଇ ଦେଇ ଯାଉଛନ୍ତି । ସାଧାରଣ ଭାବେ କହିଲେ ଏଥିରେ ନୀତିଶିକ୍ଷାଟିଏ ରହିଛି। ଗୋଟିଏ ପରିବାରକୁ ଶୃଙ୍ଖଳିତ ଭାବେ ସୁରକ୍ଷିତ ଭାବେ ଦୀର୍ଘସ୍ଥାୟୀ କରିବାକୁ ରହିଛି ଉଦ୍ଦେଶ୍ୟ। ସାଧାରଣ ଭାଷାରେ ବୁଝାଇଲେ। ମା’ ଲକ୍ଷ୍ମୀ ଏବଂ ମା’ ସୁଭଦ୍ରା ସମ୍ପର୍କରେ ନଣନ୍ଦ-ଭାଉଜ। ପ୍ରତିଘରେ ନଣନ୍ଦ-ଭାଉଜ ଭିତରେ ଖିଟପିଟ୍ ହୁଏ। ଏଇଟା ସାଧାରଣ କଥା। କିନ୍ତୁ ଶ୍ରୀମନ୍ଦିରରେ ଏମିତି ମନୋମାଳିନ୍ୟ ଯେମିତି ନ ହେବ ସେଥିପାଇଁ ବ୍ୟବସ୍ଥା କରିଛନ୍ତି ମହାପ୍ରଭୁ। ମା’ ଲକ୍ଷ୍ମୀଙ୍କ କୋପକୁ ପ୍ରଶମିତ କରିବାକୁ ମା’ ସୁଭଦ୍ରାଙ୍କ ରଥକୁ ପ୍ରଥମେ ଦକ୍ଷିଣ ମୋଡ କରାଯାଏ। ଯେମିତି କି ମା ଲକ୍ଷ୍ମୀ ଭାବିବେ, ମୋ ନଣନ୍ଦ ବହୁତ ଭଲ। ଯିଏ ଫେରିଆସିବା ପାଇଁ ପ୍ରଥମେ ନିଜ ରଥକୁ ଦକ୍ଷିଣମୁହାଁ କଲେ। କଳି କରିବାର ଅଛି ତ ପ୍ରାଣପ୍ରିୟଙ୍କ ସହ କବାଟ କିଳି କରିବି।
କି ପରିକଳ୍ପନା ଚିନ୍ତା କରନ୍ତୁ । ମହାପ୍ରଭୁ ଯେମିତି ରୋଚକ ତାଙ୍କର ନୀତି ବି ସେମିତି ରୋଚକ। ଆମେ ତ କହିବୁ ଏ ନଣନ୍ଦ-ଭାଉଜର ସମ୍ପର୍କ ସବୁଘରେ ମଧୁର ହେଲେ ପ୍ରତି ଘର ଶ୍ରୀମନ୍ଦିର ହୋଇଯିବ

Leave a Reply

Your email address will not be published. Required fields are marked *