ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ତଥା ଓଡ଼ିଆ ପୁଅ ଡ. ମୃତ୍ୟୁଞ୍ଜୟ ମହାମାପାତ୍ରକୁ ମିଳିଛି ବଡ଼ ଦାୟିତ୍ୱ। ସେ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲୁଏମଓ)ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଂଗଠନର ତୃତୀୟ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ମୃତ୍ୟୁଞ୍ଜୟ ମହାପାତ୍ର ମୋଟ ୧୪୮ରୁ ୧୧୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ଡବ୍ଲୁଏମଓର ୩ଜଣ ଉପାଧ୍ୟକ୍ଷଙ୍କ ମଧ୍ୟରେ ମୃତ୍ୟୁଞ୍ଜୟ ସ୍ଥାନ ପାଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିସହ ପୂରା ଭାରତ ପାଇଁ ଏହା ଗର୍ବର ବିଷୟ ଓ ଏଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା ବୋଲି ବିଭାଗ କହିଛି। ପ୍ରଥମ ଓଡ଼ିଆ ଭାବେ ଡ. ମୃତ୍ୟୁଞ୍ଜୟ ମହାପାତ୍ର ୨୦୧୯ରେ ଆଇଏମ୍ଡି ମୁଖ୍ୟ ପଦରେ ନିଯୁକ୍ତି ପାଇଥିଲେ। ଏହି ପଦ ଗ୍ରହଣ କରିବା ପୂର୍ବରୁ ସେ ଆଇଏମ୍ଡି ଏଡିଜି ସହ ସାଇକ୍ଲୋନ୍ ଓ୍ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଥିଲେ। ବୈଜ୍ଞାନିକ ମୃତ୍ୟୁଞ୍ଜୟ ମହାପାତ୍ର ଫାଇଲିନ୍, ହୁଡହୁଡ୍, ତିତଲି ଓ ଫୋନି ଭଳି ବାତ୍ୟାର ଲ୍ୟାଣ୍ଡଫଲ ଓ ବେଗ ସମ୍ପର୍କରେ ସଠିକ୍ ଆକଳନ କରି ସମସ୍ତର ବିଶ୍ୱାସଭାଜନ ହୋଇପାରିଥିଲେ। ଓଡ଼ିଶାର ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରରେ ଜନ୍ମିତ ଶ୍ରୀ ମହାପାତ୍ର ଆଇଆଇଟି ଦିଲ୍ଲୀର ଛାତ୍ର। ସେ ଘଣ୍ଟେଶ୍ୱର ସ୍ଥିତ ଏସି ହାଇସ୍କୁଲରେ ପାଠ ପଢ଼ିଥିଲେ।