Wed. Oct 14th, 2026

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଦିନକୁ ଦିନ ତ୍ରୀବ୍ର ହେବାରେ ଲାଗିଛି। କୃଷକ ଓ ହରିଆଣା ଖାପ୍ ପଞ୍ଚାୟତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଦେଇଛନ୍ତି। ଆସନ୍ତାକାଲି ହରିଆଣାରେ ଏକ ବୈଠକ ହେବ। ଏହି ବୈଠକରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ସମ୍ପର୍କିତ ନିଷ୍ପତ୍ତି ନିଆଯିବ ବୋଲି କୃଷକ ସଂଗଠନ ରାକେଶ ଟିକାୟତ କହିଛନ୍ତି। ରାକେଶ ଟିକାୟତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଘୋଷଣା କରି କହିଛନ୍ତି ଯେ, ଦରକାର ପଡ଼ିଲେ ଆମେ ରାଷ୍ଟ୍ରପତିଙ୍କ ପାଖକୁ ଯିବୁ। ଆମେ ଆପଣମାନଙ୍କ ସହ ଅଛୁ। ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ ବୋଲି ରାକେଶ ଟିକାୟତ କହିଛନ୍ତି।ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ହରିଦ୍ୱାର ଯାଇ ଅନ୍ତର୍ଜାତୀୟ କ୍ରୀଡ଼ାରେ ଜିତିଥିବା ମେଡାଲ ଭସାଇ ଦେବାକୁ ବାହାରିଥିଲେ। ହେଲେ ଭାରତୀୟ କୃଷକ ସଂଘର ମୁଖ୍ୟ ରାକେଶ ଟିକାୟତ ଓ ହରିଆଣାର ଖାପ ନେତାମାନେ ସେମାନଙ୍କୁ ଅନୁରୋଧ କରି ଏପରି ନ କରିବାକୁ ବୁଝାଇଥିଲେ।ଖବର ଅନୁଯାୟୀ, ଭାରତୀୟ କୁସ୍ତିସଂଘର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ସଂଗୀନ ଯୌନ ଶୋଷଣର ଅଭିଯୋଗ ଆଣି ଗତ ଜାନୁଆରୀ ମାସରୁ ଆନ୍ଦୋଳନ କରୁଛନ୍ତି ଭାରତର ପ୍ରମୁଖ କୁସ୍ତି ଯୋଦ୍ଧା। ବିନେଶ ଫୋଗାଟ, ଶାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ ପ୍ରମୁଖ ଆନ୍ଦୋଳନ କରିବା ସହ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପଟେ ବ୍ରିଜ ଭୂଷଣ କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଯଦି ତାଙ୍କ ବିରୋଧରେ ଲାଗିଥିବା କୌଣସି ଅଭିଯୋଗ ପ୍ରମାଣିତ ହୋଇଯାଏ ତେବେ ସେ ଯେ କୌଣସି ଦଣ୍ଡ ଭୋଗିବାକୁ ରାଜି ବୋଲି ବ୍ରିଜଭୂଷଣ କହିଛନ୍ତି।

Leave a Reply

Your email address will not be published. Required fields are marked *