Thu. Oct 15th, 2026

କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ୩୫ ବିଭାଗ ର ଅମଲା ମାନେ ସେମାନଙ୍କ ଏକମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଦରମା ହାର ୪୨୦୦/- ଗ୍ରେଡ ପେ ପ୍ରଦାନ କରିବା ନିମନ୍ତେ ଦିର୍ଘ ୬ ବର୍ଷ ଅତିକ୍ରମ ହୋଇ ଯାଇଥିଲେ ସୁଧା ସରକାର ଅମଲା ମାନଙ୍କ ଦାବି ପୂରଣରେ ଟାଳଟୁଳ ନିତି ଅବଲମ୍ବନ କରିଥିବା ଯୋଗୁଁ ଆଜି ମଞ୍ଚର ସଂଖ୍ୟାଧିକ ପୁରୁଷ ଓ ମହିଳା ସଦସ୍ୟ ମାନେ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଭାପତି ଶଶିଭୂଷଣ ଦାଶ କହିଛନ୍ତି। ଅମଲାମାନେ ସମୂହ ଛୁଟି ନେଇ ଧାରଣାରେ ବସି ଥିବାରୁ କାର୍ଯ୍ୟାଳୟ ଗୁଡିକରେ ଥିବା ଚେୟାର ଗୁଡିକ ଖାଲି ପଡିଥିଲା । ଯଦ୍ବାରା ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଥିଲା। କାର୍ଯ୍ୟାଳୟ ଗୁଡିକରେ କେବଳ ଅଧିକାରୀ ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଦୂର ଦୁରାନ୍ତରୁ ଆସୁଥିବା ଲୋକମାନେ ନିରାଶ ହୋଇ ଘରକୁ ଫେରୁଥିବା ନଜର କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଜିଲ୍ଲାର ଅମଲାମାନେ ଗତ ମାସ ୨୨ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଧାନ କରିବା ସହିତ ନିଜ ନିଜର କାର୍ଯ୍ୟାଳୟ ର କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଥିଲେ। କିନ୍ତୁ ସରକାର ଏଥିନେଇ କୈାଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ସମସ୍ତ ଅମଲା ମାନେ ସମୁହ ଛୁଟି ଦରଖାସ୍ତ ପ୍ରଦାନ କରିବା ସହିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କୋରାପୁଟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।ଏହି ଧାରଣାରେ ମଞ୍ଚର ମୁଖ୍ୟ ଉପଦେଷ୍ଟା ସୁନାକର ରାଉତ ,ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ, ଉପଦେଷ୍ଟା ମନୋଜ କୁମାର ବାରିକ, ସଂପାଦକ ନିତ୍ୟାନନ୍ଦ ଭତ୍ରା ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *