Thu. Oct 15th, 2026

ପୁରୀରେ ପରିବହନ ବିଭାଗର ନିର୍ଦ୍ଦେଶକୁ ଅବମାନନା। ବସରେ ଲାଗିପାରୁନି ରୁଟ୍ ଚାର୍ଟ ଏବଂ ଧାର୍ଯ୍ୟ ଭଡ଼ାର ସୂଚନା। ଫଳରେ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ଆଦାୟ ନେଇ ଯାତ୍ରୀଙ୍କୁ ଶୋଷଣ କରୁଛନ୍ତି କିଛି ଅସାଧୁ ବସ୍ ମାଲିକ। ପୁରୀ ବସଷ୍ଟାଣ୍ଡରୁ ଏଭଳି ମାଳ ମାଳ ଅଭିଯୋଗ ପ୍ରତିଦିନ ଆସୁଥିବାବେଳେ ଏହାର କୌଣସି ସମାଧାନ କରିପାରୁନାହିଁ ପ୍ରଶାସନ। ତେବେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରା ପାଖେଇ ଆସୁଥିବାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିବ ପୁରୀକୁ। ତେଣୁ ଭକ୍ତ ଏବଂ ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା କିଭଳି ଆଦାୟ ନହେବ ସେଦିଗରେ ପ୍ରଶାସନ ତତ୍ପର ହେବା ଆବଶ୍ୟକ ବୋଲି କହିଛନ୍ତି ଯାତ୍ରୀ ଓ ବୁଦ୍ଧିଜୀବୀ। ସେପଟେ ଏଭଳି ଅଭିଯୋଗ ଆସିବା ପରେ ପୁରୀ ପୋଲିସ ଏହାକୁ ଗୁରୁତର ସହ ନେଇଥିବା ବେଳେ ଏଦିଗରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଥିବା ପୁରୀ ଏସପି କହିଛନ୍ତି।କିଛି ଅସାଧୁ ବସ୍ ମାଲିକଙ୍କ ଯୋଗୁ ହନ୍ତସନ୍ତ ହେଉଛନ୍ତି ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ। ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ଦେଇ ଶୋଷଣର ଶୀକାର ହୋଇ ଚାଲିଛନ୍ତି ନିରୀହ ଭକ୍ତ ଓ ପର୍ଯ୍ୟଟକ। ଏଭଳି ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସ ପ୍ରଶାସନର ଅପାରଗତାକୁ ନେଇ ଭକ୍ତ ଓ ବୁଦ୍ଧିଜୀବି କଡ଼ା ସମାଲୋଚନା କରିଛନ୍ତି। ପୁରୀ ବସଷ୍ଟାଣ୍ଡରୁ ପ୍ରତିଦିନ ବସ ଯୋଗେ ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ଯାତ୍ରୀଙ୍କ ଠାରୁ କିଛି ଅସାଧୁ ବସ୍ ମାଲିକ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ଜୋର ଜବରଦସ୍ତ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କଲେ ଭକ୍ତ ଓ ଯାତ୍ରୀମାନେ ବସ ମାଲିକ ଓ କର୍ମଚାରୀଙ୍କ ଦୁର୍ବ୍ୟବହାରର ଶିକାର ହେଉଛନ୍ତି। ଆଗକୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଲକ୍ଷ ଲକ୍ଷ ଯାତ୍ରୀ ଓ ପର୍ଯ୍ୟଟକ ଠକାମୀର ଶିକାର ହେବା ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ତୁରନ୍ତ ପ୍ରତ୍ୟେକ ବସରେ ରେଟ ଚାର୍ଟ ଲଗାଯିବା ସହ କେଉଁ ଅଞ୍ଚଳକୁ ବସ ଯିବ ତା’ର ସୂଚନା, ବସ ଯାତ୍ରା କରୁଥିବା ବିଭିନ୍ନ ଅଞ୍ଚଳର ଦୂରତା, ପୋଲିସ ହେଲ୍ପଲାଇନ ନମ୍ୱର ଇତ୍ୟାଦି ବସ୍ ଭିତରେ ଲଗାଇବା ପାଇଁ ଦାବି କରିଛନ୍ତି ଯାତ୍ରୀ ଓ ବୁଦ୍ଧିଜୀବି। ତେବେ ଯାତ୍ରୀ ଯେଉଁ ଗାଡ଼ିରେ ଯାତ୍ରା କରୁଛନ୍ତିି ସେହି ଗାଡ଼ିର ଭଡ଼ା କେତେ ରହିଛି, ବସରେ ତାଙ୍କୁ କେଉଁ ପ୍ରକାର ସେବା ମିଳୁଛି, ଗାଡ଼ିର ନମ୍ବର ସହ ବସ୍ ମାଲିକଙ୍କ ନାମ, ବସରେ ସମୁଦାୟ କେତେ ସିଟ୍ ରହିଛି, କେତେଜଣ ବସରେ ଠିଆ ହୋଇ ଯାଇପାରିବେ, ବସ ରୁଟର ଯାତାୟତ ସମୟ ଆଦି ଏକ ଫର୍ମାଟରେ ଲେଖାଯାଇ ବସ ଭିତରେ ପ୍ରଦର୍ଶିତ କରାଯିବା ନେଇ ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ପୁରୀରୁ ଯାତାୟାତ କରୁଥିବା ଏକାଧିକ ବସରେ ଏହି ସୂଚନା ଯାତ୍ରୀଙ୍କୁ ଦିଆଯାଉନାହିଁ। ଯାହା ଫଳରେ ଏହାର ଫାଇଦା ନେଇ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡା ଆଦାୟ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି। ତେବେ ଏହି ଘଟଣା ନଜରକୁ ଆସିବା ପରେ ପୁରୀ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବସ୍ ମାଲିକଙ୍କ ସହ ଏନେଇ ପୋଲିସ ପ୍ରଶାସନ ଆଲୋଚନା କରିଛି। ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ଯାତ୍ରୀଙ୍କ ଠାରୁ ଆଦାୟ ନକରିବା ପାଇଁ ପୋଲିସ ପକ୍ଷରୁ ସଚେତନ କରାଯାଇଛି। ଅଭିଯୋଗ ଆସିଲେ ସମ୍ପୃକ୍ତ ମାଲିକ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଏସପି ସ୍ପଷ୍ଟ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *