ରାଗରୁଷା ପରେ ସୁଶାନ୍ତଙ୍କୁ ମିଳିଲା ୯ ଦାୟିତ୍ୱ

ସୁଶାନ୍ତଙ୍କୁ ମିଳିଲା ଦାୟିତ୍ୱ । ରାଗରୁଷା ପରେ ମିଳିଲା ପଶ୍ଚିମ ଓଡ଼ିଶାର ଭାର । ଶଙ୍ଖ ଭବନରେ ସୁଶାନ୍ତଙ୍କ ମାନ ଭଞ୍ଜନ ପରେ ପ୍ରତିକ୍ରିୟା ରଖିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ । ସେ କହିଛନ୍ତି, ମୁଁ ଅସନ୍ତୁଷ୍ଟ ନାହିଁ । ମନ୍ତ୍ରୀ ରେସରେ ମୁଁ ନଥିଲି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛି । ପଶ୍ଚିମ ଓଡିଶା ୯ଜିଲ୍ଲା ସଙ୍ଗଠନ କଥା ବୁଝିବି । ପଶ୍ଚିମ ଓଡିଶାର ୩୧ ଆସନରେ ଆମେ ଜିତିବୁ । ସମର୍ଥକଙ୍କୁ ମୁଁ ବୁଝାଇ ଦେିଇଛି । ମୁଖ୍ୟମନ୍ତ୍ରୀଙ୍କର ମୋ ପ୍ରତି ଆଶୀର୍ବାଦ ରହିଛି । ପଶ୍ଚିମ ଓଡିଶାର ୫ ଲୋକସେବା ଆସନ ଜିତିବୁ । ତେବେ ଗତକାଲି ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବାକୁ ନେଇ ଭଟଲି ବିଧାୟକ ସୁଶାନ୍ତ ସିଂ ନିଜର ସମର୍ଥକମାନଙ୍କ ମାଧ୍ୟମରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଗତକାଲି ବିଦ୍ରୋହର ଧମକ ଦେଇଥିଲେ, ଯାହା ତାଙ୍କୁ ମହଙ୍ଗା ପଡ଼ିଛି । ଏହିପାଇଁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ନବୀନ ନିବାସ ଡକାଯାଇ କଡ଼ା ଭାଷାରେ ତାଗିଦ୍ କରାଯିବା ସହ ଦଳୀୟ ଶୃଙ୍ଖଳା ଭିତରେ ନରହିଲେ କଠୋର କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦଳ ପଛାଇବ ନାହିଁ ବୋଲି ଚେତାବନୀ ଦିଆଯାଇଥିଲା । ଏହାସହିତ ସୁଶାନ୍ତଙ୍କ ଗଡ଼ଫାଦର ବୋଲାଉଥିବା ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଦଳୀୟ ଗୋଷ୍ଠୀକନ୍ଦଳକୁ ପ୍ରୋତ୍ସାହିତ କରିବା ଭଳି କୌଣସି କାର୍ୟ୍ୟରେ ସମ୍ପୃକ୍ତ ନହେବାକୁ ତାଗିଦ୍ କରିଥିଲେ ସୁପ୍ରିମୋ ।ସୂଚନା ଅନୁସାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ସୁଶାନ୍ତ ବାଦ୍ ପଡ଼ିବା କାରଣରୁ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ କରିଥିଲେ ସୁଶାନ୍ତଙ୍କ ଦୁଇ ଅନୁଗତ ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ଯୁବ ବିଜେଡି ସଭାପତି । ଏପରିକି ଗଣମାଧ୍ୟମ ଆଗରେ ଯେଭଳି ଦଳ ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କଲେ ତାହାକୁ ବିଜେଡି ସୁପ୍ରିମୋ ସହଜରେ ଗ୍ରହଣ କରିପାରିନାହାନ୍ତି । ଏହି ଘଟଣାରେ ସୁଶାନ୍ତଙ୍କୁ ତୁରନ୍ତ ନବୀନ ନିବାସ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ତାଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇପାରିନଥିବାରୁ ମଙ୍ଗଳବାର ପୂର୍ବାହ୍ନରେ ନବୀନ ନିବାସ ପକ୍ଷରୁ କଡ଼ା ତାଗିଦ୍ କରାଯାଇ ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁପ୍ରିମୋଙ୍କର ହଜାର ଭୋଲଟେଜ ର ରାଗ କୁ ଦେଖି ସୁଶାନ୍ତ ଗତକାଲି ଅପରାହ୍ନରେ ନବୀନ ନିବାସ ଯାଇଥିଲେ । ସୁଶାନ୍ତ ପହଂଚିବା ପରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ତୁରନ୍ତ ନବୀନ ନିବାସ ଡକରା ହୋଇଥିଲା । ଶ୍ରୀ ଦାସ ଲୋକସେବା ଭବନରୁ ସିଧା ନବୀନ ନିବାସରେ ପହଂଚିବା ପରେ ଉଭୟଙ୍କୁ ଗତକାଲିର ଘଟଣା ପାଇଁ କଡ଼ା ଭାଷାରେ ତାଗିଦ୍ କରାଯାଇଥିବା ଜଣାପଡ଼ିଛି ।

You May Also Like

More From Author

+ There are no comments

Add yours