ନବୀନଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ସ୍ଥାନ ?

ନବୀନଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିବ ସ୍ଥାନ ? ୨୦୨୪ ପୂର୍ବରୁ କାହାକୁ ଭରସା କରି ନିଜ ଟିମରେ ସାମିଲ କରିବେ ବିଜେଡି ସୁପ୍ରିମୋ । ଗଣଶିକ୍ଷା ଓ ଶ୍ରମ ବିଭାଗର ମନ୍ତ୍ରୀ ପଦରୁ ସମୀର ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ସଙ୍ଗଠନକୁ ସୁଦୃଢ କରିବାର ଦ୍ୱାହି ଦେଇ ପଦରୁ ଇସ୍ତଫା ଦେଇଥିବା କଥା କହିଥିଲେ ଉଭୟ ନେତା । ଉଭୟ ନେତାଙ୍କ ଇସ୍ତଫା ପରେ ପ୍ରମିଳା ମଲ୍ଲିକ ଉଭୟ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ କେବେ ନବୀନଙ୍କ ଟିମର ନବକଳେବର ହେବ ତାହା ଏବେବି ସସପେନ୍ସରେ ରହିଛି । ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ମୋଟ ୩ଟି ବିଭାଗର ମନ୍ତ୍ରୀପଦ ଫାଙ୍କା ପଡିଛି । ତେଣୁ କାହାକୁ ନବୀନ ସୁଯୋଗ ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ରାଜନୈତିକ କରିଡରରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଆସନ୍ତା ୨୨ ତାରିଖ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ନୂଆମୁହଁ ଦେଖିବାକୁ ମିଳିପାରେ । ଚଳିତ ମାସରେ ରାଜ୍ୟପାଳଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେଉଛି । ତେଣୁ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ପରେ ହୁଏତ ନବୀନଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ଏଭଳି ସମ୍ଭାବନା ଏଥିପାଇଁ ବଢୁଛି କାରଣ, ଆସନ୍ତା ୨୨ ତାରିଖରୁ ବିଭାଗୱାରୀ ମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା କରିବେ ନବୀନ । ମନ୍ତ୍ରୀଙ୍କ ରିପୋର୍ଟକାର୍ଡର ସମୀକ୍ଷା ପରେ କାହାକୁ ମନ୍ତ୍ରୀମଣ୍ଡଳରୁ ବାଦ୍ ଦିଆଯିବ ଓ କାହାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ସେନେଇ ନିଷ୍ପତ୍ତି ନେଇପାରନ୍ତି ନବୀନ । ବିଭାଗୱାରୀ ମନ୍ତ୍ରୀଙ୍କ ପ୍ରଦର୍ଶନ ବାବଦରେ ଜୁନ୍ ୧ ତାରିଖ ଯାଏଁ ସମୀକ୍ଷା କରିବେ ନବୀନ । ଆଉ ଏହି ସମୟସୀମା ପରେ ନୂଆ ରାଜ୍ୟପାଳ ମଧ୍ୟ ନିଯୁକ୍ତି ପାଇ ସାରିଥିବେ । ତେଣୁ ଏହି ସମୟକୁ ବୋଧହୁଏ ନବୀନ ଅପେକ୍ଷା କରିଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ନୂଆ ମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାହା ମଧ୍ୟ ସବୁଠୁ ବଡ ପ୍ରଶ୍ନ । ମୋଟ ୩ ମନ୍ତ୍ରୀପଦ ଏବେ ଫାଙ୍କା ପଡିଥିବା ବେଳେ ସମୀକ୍ଷା ପରେ ଏହି ସଂଖ୍ୟା ବଢିପାରେ । କିନ୍ତୁ ନବୀନଙ୍କ ଆଶୀର୍ବାଦ କାହା ମୁଣ୍ଡ ଉପରେ ରହିବ ତାହାକୁ ନେଇ ଅନେକ ଚର୍ଚ୍ଚା । ୩ ମନ୍ତ୍ରୀପଦ ପାଇଁ ପାଖାପାଖି ୩୦ରୁ ଅଧିକ ଆଶାୟୀ ରହିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା । କାରଣ ଆଗକୁ ୨୦୨୪ ନିର୍ବାଚନ ରହିଛି । ତେଣୁ ନିର୍ବାଚନ ପୂର୍ବରୁ ମନ୍ତ୍ରୀପଦ ମିଳିଲେ କେବଳ କାଟତି ବଢିବନି ବରଂ ନବୀନଙ୍କ ଗୁଡବୁକରେ ଥିବା ନେଇ ସଂକେତ ମିଳିବ।

You May Also Like

More From Author

+ There are no comments

Add yours