ବସଷ୍ଟାଣ୍ଡ କାର୍ଯ୍ୟ ତୁରନ୍ତ ସାରିବାକୁ ରାଜ୍ୟପାଳ ଉଦ୍ଦେଶ୍ୟରେ ଦାବିପତ୍ର

ଜୟପୁରରେ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଥିବା ଓଏସଆରଟି ବସଷ୍ଟାଣ୍ଡ ତୁରନ୍ତ ନିର୍ମାଣ ନେଇ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଜୟପୁର ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପତ୍ରରେ ଦର୍ଶାଯାଇଛି ଯେ, ଜୟପୁର ସହର ହେଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର । ସେହିପରି ଏହି ସହରରେ ରହିଥିବା ବସଷ୍ଟାଣ୍ଡକୁ ମଧ୍ୟ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ର ବହୁ ଅଂଚଳ ବାସିନ୍ଦା ନିର୍ଭର କରନ୍ତି । ଏଠାରୁ ବିଭିନ୍ନ ରାଜ୍ୟ ରାଜଧାନୀ ବିଶେଷ କରି ରାୟପୁର, ହାଇଦ୍ରାବାଦ, ଭୁବନେଶ୍ୱର ସହ ବିଜୟୱାଡା, ବିଶାଖାପାଟଣା ଭଳି ସହରକୁ ଯାତ୍ରୀବାହୀ ବସ ଚଳାଚଳ କରେ । ପ୍ରତ୍ୟେହ ଶହ ଶହ ବସର ହଜାର ହଜାର ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଠାରେ ଏକ ବିଶ୍ୱସ୍ତରୀୟ ବସ ଟର୍ମିନାଲ ପ୍ରତିଷ୍ଠା ନିଷ୍ପତ୍ତି ନେଇଥିଲେ । ଏପରିକି ୧୨ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରି ରାଜ୍ୟ ପରିବହନ ନିଗମ ଅଧୀନରେ ରହିଥିବା ଜମି ମଧ୍ୟ ଯୋଗାଇ ଦେଇଥିଲେ । ନିଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩ ଡିସେମ୍ବର ୨୦୧୬ ମସିହାରେ ଜୟପୁର ଆସି ଏହାର ଶୁଭ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟ ୭ ବର୍ଷ ବିତିଯାଇଥିଲେ ବି ଲୋକଙ୍କୁ ଏହି ବସଷ୍ଟାଣ୍ଡର ସୁବିଧା ମିଳୁନାହିଁ । ଫଳରେ ପ୍ରତିଦିନ ବସଯାତ୍ରୀମାନେ ନାନା ଦୁର୍ଦ୍ଦଶାର ସମ୍ମୁଖିନ ହୋଇଚାଲିଛନ୍ତି । ଯାହାକି ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ର ପାଇଁ ଶୋଭନୀୟ ନୁହେଁ । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନିଜେ ଶୁଭ ଦେଇଥିବା ଏହି କାର୍ଯ୍ୟକୁ ବିଳମ୍ବ କରୁଥିବାରୁ ଏହା ମୁଖ୍ୟମନ୍ତ୍ରୀଙ୍କ ଆଦେଶ ପ୍ରତି ଅପମାନ, ତେଣୁ କାର୍ଯ୍ୟ ନିର୍ବାହୀ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି କରିଛି ଆଜି ମଞ୍ଚ । ଏହି ପତ୍ର ପ୍ରଦାନ ବେଳେ ରାଜେନ୍ଦ୍ର କୁମାର ଗୌଡ଼, ବାଲା ରାୟ, ଚନ୍ଦ୍ରକାନ୍ତ ସୁତାର, ଟି ଗୌରି ଶଙ୍କର, ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

You May Also Like

More From Author

+ There are no comments

Add yours