
କୋଭିଡ଼୍ ୧୯ ପରଠାରୁ ସୁନାବେଡ଼ା ହାଲ ନିକଟସ୍ତ ଡୁମୁରିପୁଟ ରେଳ ଷ୍ଟେସନରେ ହୀରାଖଣ୍ଡ ଏକ୍ସପ୍ରେସ ଓ ପାସେଞ୍ଜର ରେଳ ରହଣି ବନ୍ଦ ହୋଇଯାଇଛି। ଦୀର୍ଘ ତିନି ବର୍ଷ ଧରି ଏହି ସେବା କୋରୋନା ମହାମାରୀ ଯୋଗୁଁ ରେଳ ବିଭାଗ ପକ୍ଷରୁ ବନ୍ଦ କରି ଦିଆଯାଇଛି। ଏହି ଡୁମୁରିପୁଟ ଷ୍ଟେସନ ଉପରେ ସୁନାବେଡ଼ା ହାଲ, ସେମିଳିଗୁଡା, ପଟାଙ୍ଗୀ, ନନ୍ଦପୁର, ଆଦି ଅଞ୍ଚଳର ଲୋକେ ନିର୍ଭରଶୀଳ ରହିଛନ୍ତି। ସୁନାବେଡ଼ା ହାଲରେ ପ୍ରାୟ ଚାରି ହଜାର ଲୋକେ ବସବାସ କରନ୍ତି ଓ ବାହାରକୁ ଯିବାକୁ ହେଲେ ଏହି ଡୁମୁରିପୁଟ ଷ୍ଟେସନରୁ ହିଁ ଯାଇଥାଆନ୍ତି। ଷ୍ଟେସନ ସୁନାବେଡ଼ାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ। ଡୁମୁରିପୁଟ ଓ ଦାମନଯୋଡି ଷ୍ଟେସନ୍ ୧୭ କିମି ରାସ୍ତା ଓ କୋରାପୁଟ ୨୦ କିମି ରାସ୍ତା ସବୁଠୁ ନିକଟତମ ଷ୍ଟେସନ ଡୁମୁରିପୁଟ। ଲୋକେ ଭୁବନେଶ୍ଵର ଓ ବିଶାଖାପାଟଣାରୁ ଆସି ଓହ୍ଲାଇ ସୁନାବେଡ଼ା, ସେମିଳିଗୁଡା, ପଟାଙ୍ଗୀ ଆଦି ଅଞ୍ଚଳକୁ ରାସ୍ତାରେ ଯିବା ସୁବିଧା ରହିଛି।

ଷ୍ଟେସନଠୁ ମାତ୍ର ପାଞ୍ଚଶହ ମିଟର ଦୂରରେ ୨୬ନଂ ଜାତୀୟ ରାଜପଥ ରହିଛି। ଏ ଭିତରେ ଡୁମୁରିପୁଟ ଷ୍ଟେସନକୁ ଆଧୁନିକୀକରଣ କରାଯାଇଛି ଷ୍ଟେସନ ଭିତରେ ଏକ ପାଖରୁ ଅନ୍ୟ ପାଖ ଯିବା ପାଇଁ ଓଭର୍ ବ୍ରିଜ ନିର୍ମାଣ କରାଯାଇଛି। ପୁରୁଣା ଷ୍ଟେସନକୁ ବହୁ ଗୁଣ ବୃଦ୍ଧି କରି ନିର୍ମାଣ କରାଯାଇଛି। ଏହା ସହ ବସିବା ସ୍ଥାନ ତଥା ଚେୟାର ନିର୍ମାଣ କରାଯାଇଛି। ଶୌଚାଳୟ ଓ ପାଣି ବ୍ୟବସ୍ଥା ସହ ନୂଆ ଟିକେଟ ବିକ୍ରି କାଉଣ୍ଟର ମଧ୍ୟ ନିର୍ମାଣ କରାଯାଇଛି। ଏତେ ସବୁ ଆଧୁନିକୀକରଣ ଭିତରେ ରେଳ ବିଭାଗ କିନ୍ତୁ ଗାଡ଼ି ରଖିବାକୁ ଭୁଲି ଯାଇଛି।

ଡୁମୁରିପୁଟ ଷ୍ଟେସନ ପାଖା ପାଖି ସହର ଓ ଗ୍ରାମବାସୀଙ୍କ ପାଇଁ ଏକ ନିର୍ଭର ଯୋଗ୍ୟ ଓ ଜରୁରୀ ରେଳ ଷ୍ଟେସନ। ଟ୍ରେନ ରହଣୀ ବ୍ୟବସ୍ଥାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ସୁନାବେଡ଼ା ଅଞ୍ଚଳର ବିଭିନ୍ନ ସଙ୍ଗଠନମାନେ ଓ ପଦ୍ମପୁର ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ବରିଷ୍ଟ ନେତା ମାନେ ଶିଘ୍ର ଡୁମୁରିପୁଟ ଷ୍ଟେସନ ରେ ହୀରାଖଣ୍ଡ ଏକ୍ସପ୍ରେସ ଓ ଡିଏମୟୁକୁ ରହଣି ପାଇଁ ଦାବି କରିଛନ୍ତି।
