ସିଦ୍ଧରମୈୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପ୍ରକାଶକୁ ୟା ଭିତରେ ବିତି ଗଲାଣି ୪ ଦିନ । କିନ୍ତୁ କିଏ ହେବ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏବଂ କାହା ମୁଣ୍ଡକୁ ଦିଆଯିବ ଶାସନ ଦାୟିତ୍ୱ ତାହାକୁ ନେଇ ଚାଲିଥିଲା ଅଙ୍କ କଷା । ତେବେ ବିଭିନ୍ନ ଦ୍ୱନ୍ଦ୍ୱ ଉପରେ ପଡିଛି ପୂର୍ଣ୍ଣଛେଦ । କାରଣ ବର୍ତମାନ ରାଜ୍ୟର ଶାସକ ଗାଦିରେ ବସିବେ ସିଦ୍ଧରମୈୟା । ତାଙ୍କ ନାଁରେ ମୋହର ଲଗେଇଛି କଂଗ୍ରେସ । ଏନେଇ ସେ ଦିଲ୍ଲୀରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସିଦ୍ଧରମୈୟା ଓ ଡି କେ ଶିବ କୁମାରଙ୍କ ନାଁ ଚର୍ଚ୍ଚା ହେଉଥିଲା । ଦିଲ୍ଲୀରେ ଏଭଳି ପ୍ରସ୍ତାବ ଆଗତ ମଧ୍ୟ ହୋଇଥିଲା ଯେ, ସିଦ୍ଧରମୈୟାଙ୍କୁ ୨ ବର୍ଷ ଦାୟିତ୍ୱ ଦିଆଯିବ ଏବଂ ବାକି ୩ ବର୍ଷ ଶିବ କୁମାରଙ୍କ ଉପରେ ରହିବ ରାଜ୍ୟ ଶାସନର ଭାର । କ୍ଷମତାର ଏହି ବଂଟନକୁ କିଛି ସମର୍ଥନ କରୁଥିବା ବେଳେ, କିଛି ଏହାକୁ ବିରୋଧ କରୁଥିଲେ । ତେବେ ବିଭିନ୍ନ ସମୀକରଣ ମଧ୍ୟରେ ଦଳର ମୁଖିଆ ସବୁ ପ୍ରସ୍ତାବରେ ପୂର୍ଣ୍ଣଛେଦ ପକାଇଛନ୍ତି । ଏଥର ମୁଖମନ୍ତ୍ରୀ ହେବେ ସିଦ୍ଧରମୈୟା । କିନ୍ତୁ ଏଯାଏଁ ଏନେଇ ଦଳ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନି । ତେବେ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଏକ ବୈଠକ ଡକାଯାଇଥିଲା । ବେଙ୍ଗାଲୁରୁରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ ଶିବ କୁମାର । ମଙ୍ଗଳବାର ଅପରାହ୍ନରେ ଖଡଗେଙ୍କୁ ଭେଟି ନିଜ ଦାବି ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସେ ହେଉଛନ୍ତି ଯୋଗ୍ୟ ଦାବିଦାର । ଯେଉଁଥି ପାଇଁ ତାଙ୍କୁ ଏହି ଦାୟିତ୍ୱ ଭାର ଦିଆଯାଉ ବୋଲି ସେ ଦାବି କରିଥିଲେ । ତେବେ ଏହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଉଡା କଥା ସାମ୍ନାକୁ ଆସିଛି । କାରଣ ହାତ ଶିବିରରେ ପହଂଚିଥିଲେ କଂଗ୍ରେସ ନେତା ସିଦ୍ଧରମୈୟା ଏବଂ ଭେଟିଥିଲେ ସୋନିଆ ଓ ରାହୁଲଙ୍କୁ । ଅନ୍ୟପଟେ ଶିବକୁମାର ମଧ୍ୟ କଂଗ୍ରେସ ସଭାପତିଙ୍କୁ ଭେଟିଥିବାର ସୂଚନା ରହିଛି । ତେବେ ଏସବୁ ମଧ୍ୟରେ ଦୁହିଁଙ୍କ ଦୌଡରେ ସିଦ୍ଧରମୈୟା ବାଜି ମାରିଛନ୍ତି ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି । ତେବେ କଂଗ୍ରେସର ଅଫିସିଆଲ ଘୋଷଣା ପରେ ହିଁ ଏକଥା ସ୍ପଷ୍ଟ ହୋଇପାରିବ ।

You May Also Like

More From Author

+ There are no comments

Add yours