କୃଷି କ୍ଷେତ୍ରରେ କମ ଜଳ ପ୍ରୟୋଗରେ ଅଧିକ ଉତ୍ପାଦନ ପାଇଁ ଆହ୍ଵାନ

ଆଇସିଏଆର ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ବର ତା’ର ୩୬ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ମୁଖ୍ୟ ଅତିଥି ଡକ୍ଟର ସୁରେଶ କୁମାର ଚୌଧୁରୀ , ଉପମହାନିର୍ଦ୍ଦେଶକ (ପ୍ରାକୃତିକ ସମ୍ପଦ ପରିଚାଳନା), ବୃକ୍ଷକୁ ଜଳଦାନ କରି ସଭାର ଉଦ୍ଦଘାଟନ କରିଥିଲେ । ସେ କହିଲେ ଯେ, ଜଳବାୟୁ ପରିବର୍ତ୍ତନ ସଠିକ କୃଷି ଜଳ ପରିଚାଳନା ଦିଗରେ ବୈଜ୍ଞାନିକଙ୍କ ସମ୍ମୁଖରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ତେଣୁ ସମଗ୍ର ଦେଶରେ ଜଳ ପରିଚାଳନା ଗବେଷଣା ଲବ୍ଧ ଜ୍ଞାନକୁ ଆହୁରି ପାରଦର୍ଶୀ ଓ ଉପଯୋଗୀ କରିବାକୁ ପଡିବ । ପ୍ରତିଷ୍ଠା ଦିବସର ଭାଷଣ ପ୍ରଦାନ କରି ଓଡିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢୀ, ବୈଜ୍ଞାନିକମାନଙ୍କୁ କୃଷିକ୍ଷେତ୍ରରେ କମ ଜଳ ପ୍ରୟୋଗରେ ଅଧିକ ଉତ୍ପାଦନ ଦେଇ ପାରୁଥିବା ଜ୍ଞାନ କୌଶଳ ଉଦ୍ଭାବନ ପାଇଁ ଆହ୍ଵାନ ଦେଇଥିଲେ । ସେ ଆହୁରି ମଧ୍ୟ କହିଲେ ଯେ ଦେଶର ବାର୍ଷିକ ମୁଣ୍ଡପିଛା ଜଳ ଉପଲବ୍ଧତା ହ୍ରାସ ଚିନ୍ତାଜନକ ଓ ଏହାର ପ୍ରତିକାର ପାଇଁ ସମସ୍ତଙ୍କୁ ଯତ୍ନବାନ ହେବାକୁ ହେବ । ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଜଳ ସମ୍ପଦ ଆଧାରିତ ଏବଂ କ୍ଷେତ୍ର ନିର୍ଦ୍ଧାରିତ ଜଳ ପରିଚାଳନା ଯୋଜନା ବିକାଶ ଉପରେ ଗୁରୁତ୍ଵ ଆରୋପ କରିଥିଲେ । ସର୍ବପ୍ରଥମେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ, ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ କରିବା ସହିତ ପ୍ରତିଷ୍ଠାନରୁ ବିକଶିତ ଜଳ ସଞ୍ଚୟକାରୀ କୃଷି ପଦ୍ଧତି ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଓଡିଶାର ବିଭିନ୍ନ ଅଞ୍ଚଳରେ କୃଷିରେ ଉତ୍କର୍ଷ ଲାଭ କରିଥିବା ପାଞ୍ଚ ଜଣ ପ୍ରଗତିଶୀଳ କୃଷକଙ୍କୁ ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବର୍ଗରେ ମଧ୍ୟ ପୁରସ୍କାର ଦିଆଯାଇଥିଲା । ଏହି ଅବସରରେ ବିଦାୟୀ କର୍ମଚାରୀମାନଙ୍କୁ ବି ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ପ୍ରତିଷ୍ଠାନରୁ ପ୍ରକାଶିତ ବିଭିନ୍ନ ଗବେଷଣା ବୁଲେଟିନ ଉନ୍ମୋଚନ କରିଥିଲେ । ଶେଷରେ ବୈଜ୍ଞାନିକ–କୃଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଭିନ୍ନ ଜିଲ୍ଲାର ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାରେ କାର୍ଯ୍ୟରତ ବିଭିନ୍ନ ଆଇ ସି ଏ ଆର ଅନୁଷ୍ଠାନର ନିର୍ଦ୍ଦେଶକ, ଆଞ୍ଚଳିକ କେନ୍ଦ୍ରର ମୁଖ୍ୟ, ଓଡିଶା ସରକାରଙ୍କ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ । ଶେଷରେ ପ୍ରଧାନ ବୈଜ୍ଞାନିକ ଡକ୍ଟର ସୁମନ୍ତ କୁମାର ମିଶ୍ର ଧନ୍ୟବାଦ ପ୍ରସ୍ତାବ ଜ୍ଞାପନ କରିଥିଲେ । ପ୍ରତିଷ୍ଠା ଦିବସକୁ ଆହୁରି ମନୋରମ କରିବା ପାଇଁ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

You May Also Like

More From Author

+ There are no comments

Add yours