ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ମାତା ମଠ ନିକଟ ଗିନାରୀବନ୍ତ ଅଞ୍ଚଳରେ ବାସେଳି ସାହି ଥାନା ପୁଲିସ ଚଢ଼ାଉ । ଚଢାଉ ବେଳେ ୭ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଅଫୁଟା ଗୁଳି, ଦୁଇଟି ଖଣ୍ଡା, ଗୋଟିଏ ଲୁହାରଡ୍, ଗୋଟିଏ ଭୂଜାଲି, ଗୋଟିଏ ଲାଠି, ୨ଟି ଅଫୁଟା ବୋମା, ଗୋଟିଏ ଟର୍ଚ୍ଚଲାଇଟ୍, ବୋମା ପ୍ରସ୍ତୁତ କରିବା ସାମଗ୍ରୀ, ଦୁଇଟି ଖାଲି ବିଅରବୋତଲ, ଗୋଟିଏ ସ୍କୁଟି, ୪ଟି ମୋବାଇଲ ଫୋନ୍ ଜବତ ହୋଇଛି ।
ଗିରଫ ଅଭିଯୁକ୍ତମାନେ ବାସେଳିସାହି ପାର୍ବତୀପୁରର ଭୂଆ ଓରଫ ଡମ୍ବରୁଧର ଖଟେଇ, ଜଗନ୍ନାଥ ବସ୍ତିର ପିନୁ ଓରଫ ପିନାକୀ ବରାଳ, ପାପୁନି ଜେନା, ହରିଜନ ବସ୍ତି ଟିଗିରିଆ ସାହିର ଅମି ଓରଫ ଅମିତ ନାଏକ, ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତିର ରାଜା ଓରଫ କୈଳାସ ନାଏକ, ଶଙ୍କରପୁରର ସନ୍ତୋଷ ମହାନ୍ତି, ମୁଦୁଲି ଜାଗାର ବିସିଆ ଓରଫ ବିଶ୍ୱନାଥ ମହାରଣା । ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
