Thu. Oct 15th, 2026

ନୟାଗଡ଼ ଜିଲା ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ଗୁରୁବାରଠାରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ରାଧାକାନ୍ତ ମଠଠାରୁ ତୋରଣ ଓ ସାଜସଜ୍ଜା ଆରମ୍ଭ ହୋଇଥିବା ବେଳେ ମନ୍ଦିର ସୂବର୍ଣ୍ଣ କଳସକୁ ଛାଡ଼ି ମନ୍ଦିର ଚୂଡ଼ାକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯାଇଛି।
ମନ୍ଦିର ପରିଚାଳକଙ୍କ ସୂଚନା ଅନୁଯାୟୀ, ଗୁରୁବାର ଶ୍ରୀରାମ ଜନ୍ମ ଅବସରରେ ସକାଳ ୫ରେ ଆଳତୀ, ୭ରେ ବଲ୍ଲଭ ଭୋଗ, ସାଢେ ୮ରେ ଖେଚୁଡି ଭୋଗ, ସାଢେ ୧୦ଠାରୁ ରାମଜନ୍ମ କର୍ମାଙ୍ଗ ଆରମ୍ଭ ହୋଇ ସମସ୍ତ ନୀତି ସମ୍ପାଦନ ପୂର୍ବକ ଅପରାହ୍ନ ୧ରେ ଶ୍ରୀରାମ ଲାଲାଙ୍କ ଆବିର୍ଭାବ ହେବା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ଜନ୍ମବିଧାନ ପରେ ମନ୍ଦିର ବନ୍ଦ ରହିବ। ସନ୍ଧ୍ୟା ୬ରୁ ଆଳତି ସହିତ ରାତି ୧୦ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ଜନ୍ମନାରାୟଣ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜୀଉ ଦର୍ଶନ ଦେବେ। ମନ୍ଦିର ପ୍ରଶାସନର ସୂଚନା ଅନୁସାରେ ୩୧ ତାରିଖରେ ତାଡକା ବଧ, ଏପ୍ରିଲ ୧ରେ ଅହଲ୍ୟା ଉଦ୍ଧାରଣ, ୨ରେ ଗଙ୍ଗାପାର, ୩ରେ ଧନୁଭଗ୍ନ (ସୀତା ବିବାହ), ୪ରେ ବନବାସ, ୫ରେ ଚିତ୍ରକୂଟ, ୬ରେ ଗୁରୁବାର ହେତୁ ସାଧାରଣ ଦର୍ଶନ, ୭ରେ ଅଷ୍ଟାବଧାନ, ୮ରେ ଯୁଦ୍ଧଯାତ୍ରା, ୯ରେ ଅଭିଷେକ ବେଶରେ ଶ୍ରୀଜୀଉମାନେ ସନ୍ଧ୍ୟା ଦର୍ଶନ ଦେବାକୁ ଥିବା ବେଳେ ୧୦ରେ ପାଣିଖେଳ ସହିତ ଚଳିତ ବର୍ଷର ରାମ ଜନ୍ମ ଉତ୍ସବ ପାଳିତ ହେଉଛି। ଏଥି ନିମନ୍ତେ ହନୁମାନ ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ନୂତନ ପିଚୁ ରାସ୍ତା ସହିତ ଆଲୋକୀକରଣ କରାଯାଇଛି। ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ସ୍ଥାନୀୟ ତହସିଲଦାର, ବିଡିଓ ଓ ଶାନ୍ତ କମିଟି ସଦସ୍ୟମାନେ ଶାନ୍ତି ଶୃଙ୍ଖଳା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବେ। ସେହିପରି ଅଗ୍ନିଶମ, ବିଦ୍ୟୁତ୍‌ ବିଭାଗ, ପାନୀୟ ଜଳ ଯୋଗାଣ ପ୍ରତି ଅନୁରୁପ ଧ୍ୟାନ ଦିଆଯିବ ବୋଲି ଜିଲାପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *