ରାୟଗଡାରେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରୀ ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କଲେ ମନ୍ତ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ ହୋଇଛି । ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ଦକ୍ଷିଣାପଶ୍ଚିମାଚଂଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲ୍ଳାର ୯୭୦ଜଣ ତୀର୍ଥଯାତ୍ରୀ ଓ ୩୦ଜଣ ଏସକର୍ଟ କର୍ମକର୍ତାମାନେ ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ତିରୁପତି-ଭେଲୋର-ଶ୍ରୀକଳାହସ୍ତି ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି ।
ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୀର୍ଥଯାତ୍ରୀମାନେ ଯାଉଥିବା ସ୍ୱତନ୍ତ୍ର ଟ୍ରେନରେ ଫିତା କାଟିବା ସହ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ରାଜ୍ୟ ଉପଦେଷ୍ଟା ଦୁର୍ଗାପ୍ରସାଦ ସାମନ୍ତରାଏ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାସ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଜିଲ୍ଳାପାଳ ସ୍ୱଧାଦେବ ସିଂ, ନଗର ଅଧ୍ୟକ୍ଷ ପି.ମହେଶ ପଟ୍ଟନାୟକଙ୍କ ପ୍ରମୁଖ ଯୋଗଦାନ କରି ବରିଷ୍ଠ ନାଗରିକ ମାନଙ୍କ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ୍ ରାଉତରାଏ, ସହକାରୀ ନିର୍ଦ୍ଦେଶକ ସରୋଜ ଜେନା ,ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା, ରେଳବାଇ ଆଇଆରସିଟିସି ଏବଂ ରାୟଗଡା ଜିଲ୍ଳାସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ।

ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ମନୋଭାବ ଆସୁଥିବା ବେଳେ ତୀର୍ଥଯାତ୍ରା କରିବାକୁ ମଧ୍ୟ ମନ ବଳାଇଥାନ୍ତି ତେବେ ଅର୍ଥାଭାବରୁ ତଥା ପାରିବାରିକ ଆର୍ଥିକସ୍ଥିତି ଉଜ୍ୱଳ ନଥିବାରୁ ସେମାନେ ତୀର୍ଥସ୍ଥାନ ଭ୍ରମଣ କରିପାରନ୍ତି ନାହିଁ । ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କ ଏହି ଆଶାକୁ ପୂରଣ କରିବା ଦିଗରେ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମନ୍ତ୍ରୀ ସାରକା ପ୍ରକାଶ କରିଥିଲେ । ସେହିପରି ଆର୍ଥିକ ଅନଗ୍ରସର ଓ ଦାରିଦ୍ର ସୀମାରେଖା ତଳେ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ଆକାଂକ୍ଷା ପୂରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରି ସେମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପ୍ରଦାନ କରିଆସୁଛନ୍ତି । ବର୍ତମାନ ସୁଦ୍ଧା ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଳାରୁ ୧୮,୫୦୦ଜଣ ବରିଷ୍ଠ ନାଗରିକ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି । ପ୍ରତିଥର ୧୦୦୦ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରାର ସୁଯୋଗ ପାଉଛନ୍ତି । ଏହି ଯାତ୍ରା ବେଳେ ତୀର୍ଥଯାତ୍ରୀମାନଙ୍କ ସମସ୍ତ ସୁବିଧାସୁଯୋଗ ରାଜ୍ୟ ସରକାର ବହନ କରିଥାନ୍ତି । ତୀର୍ଥଯାତ୍ରୀମାନଙ୍କ ରହିବା, ଯିବା ଆସିବା ଏବଂ ଖାଦ୍ୟ ପାନୀୟର ବ୍ୟବସ୍ଥା ସହ ଗସ୍ତ ଜଗୁଆଳୀ,ପଥ ପ୍ରଦର୍ଶକ, ଯାତ୍ରୀ ବୀମା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେଇଆସୁଛନ୍ତି ।

ଚଳିତ ୨୦୨୨-୨୩ଆର୍ଥିକ ବର୍ଷରେ ୭ଟି ପର୍ଯ୍ୟାୟରେ ଏହି ତୀର୍ଥଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥି ମଧ୍ୟରେ ରାୟଗଡା ଠାରୁ ତିରୁପତି-ଭେଲୋର-ଶ୍ରୀକଳାହସ୍ତି ତୀର୍ଥସ୍ଥାନ ଭ୍ରମଣର ସ୍ଥିର କରାଯାଇଥିଲା ବୋଲି ଉପଦେଷ୍ଠା ସାମନ୍ତରାଏ ପ୍ରକାଶ କରିଛନ୍ତି । ଏଥିରେ ରାୟଗଡା ଜିଲ୍ଳାର ୧୮୨ଜଣ ତୀର୍ଥଯାତ୍ରୀଙ୍କ ସମେତ କୋରାପୁଟର ୨୦୨ଜଣ, ନବରଙ୍ଗପୁରର ୧୭୦ଜଣ, ମାଲକାନଗିରି ଓ ନୂଆପଡା ଜିଲ୍ଳାର ୯୦ଲେଖାଁଏ ୧୮୦ଜଣ ଏବଂ କଳାହାଣ୍ଡିର ୨୩୬ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରା ଭ୍ରମଣ କରିଛନ୍ତି । ଆସନ୍ତା ଏପ୍ରିଲ ୨ତାରିଖରେ ଏମାନେ ପୁଣି ରାୟଗଡା ଫେରିବେ ବୋଲି ଜଣାପଡିଛି । ଗତକାଲି ଉକ୍ତ ଛଅଟି ଜିଲ୍ଳାର ତୀର୍ଥଯାତ୍ରୀଙ୍କୁ ରାୟଗଡାରେ ରହଣି ବ୍ୟବସ୍ଥା କରାଯାଇଥିବା ବେଳେ ସଂଧ୍ୟାରେ ଭଜନ ସଂଧ୍ୟା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

You May Also Like

More From Author

+ There are no comments

Add yours