Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାର ପବିତ୍ର ଶକ୍ତିପୀଠମାନଙ୍କ ମଧ୍ୟରେ ମା ଭଗବତୀଙ୍କ ଶକ୍ତିପୀଠ ଅନ୍ୟତମ । ନବମ ଶତାବ୍ଦୀରେ ନିର୍ମିତ ଏହି ଶକ୍ତିପୀଠ ବାଣପୁର ଅଞ୍ଚଳର ସହ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଶାଳିଆ ନଦୀ କୂଳରେ ଅବସ୍ଥିତ ଏହି ପୁରାତନ ଶକ୍ତିପୀଠ। ଏହି ମନ୍ଦିରକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ମା ଭଗବତୀଙ୍କ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି।

ବିଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ ବାଣପୁର ଗସ୍ତରେ ଆସି ମନ୍ଦିର ପରିଭ୍ରମଣ କରିବା ସହ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସଂପର୍କରେ ଆଲୋଚନା କରିଥିଲେ।୫ଟି ସଚିବଙ୍କ ଗସ୍ତ ପରେ ପ୍ରଶାସନ ସ୍ତରରେ ତତ୍ପରତା ସହ ବିଭିନ୍ନ ବିଭାଗର ଅଧିକାରୀମାନେ ମନ୍ଦିର ପରିଦର୍ଶନ କରିବା ପାଇଁ ଆସିଥିଲେ। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ପରେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଥିଲା। ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିର ର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି। ଏହା ସହିତ ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏହି ମାଷ୍ଟର ପ୍ଲାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅନୁମୋଦିତ କରିଛନ୍ତି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭି.ଭି. ଯାଦବ ଉପସ୍ଥିତ ଥିଲେ। ମା ଭଗବତୀଙ୍କ ପୀଠର ସେବାୟତମାନେ ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ବୈଠକରେ ଯୋଗ ଦେଇଥିଲେ। ଏଥିପାଇଁ ସେବାୟତ ଓ ବାଣପୁର ଲୋକଙ୍କ ମନରେ ଏକ ଖୁସିର ଲହରୀ ଖେଳି ଯାଇଛି। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ବାଣପୁରର ମା ଭଗବତୀ ମନ୍ଦିର ଉନ୍ନତିକରଣ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *