ବଲିଉଡ ଚଳଚ୍ଚିତ୍ର ‘ଜ୍ୱିଗାଟୋ’ରେ ଦେଖାଦେବେ କେନ୍ଦୁଝରର ଓଡ଼ିଆ ଝିଅ ୟୁଭିକା ବ୍ରହ୍ମ

ଶବ୍ଦମିଡ଼ିଆ ବ୍ୟୁରୋ:ବଲିଉଡ ସିନେମାରେ ଅଭିନୟ କରିବାକୁ ସୁଯୋଗ ମିଳିଛି କେନ୍ଦୁଝରର ଶିଶୁ କଳାକାର ୟୁଭିକା ବ୍ରହ୍ମଙ୍କୁ । ମାତ୍ର ୧୨ ବର୍ଷ ବୟସରେ ସେ ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ସିନେମା ‘ଜ୍ୱିଗାଟୋ’ରେ ଚମତ୍କାର ଅଭିନୟ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏହି ଚଳଚ୍ଚିତ୍ରରେ କପିଲ ଶର୍ମାଙ୍କ କନ୍ୟା ଭାବେ ସେ ଅଭିନୟ କରିଛନ୍ତି ।

ଶୁକ୍ରବାର ଦେଶ ଓ ବିଦେଶରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି । ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ଏହାର ନିର୍ଦ୍ଦେଶିକା ନନ୍ଦିତା ଦାସ ସିନେମାର କଳାକାରଙ୍କ ସମ୍ପର୍କରେ ସୂଚନା ଦେବା ସମୟରେ ୟୁଭିକାଙ୍କ ଅଭିନୟର ଯାଦୁ ସମ୍ପର୍କରେ ଅନେକ ତାରିଫ୍‌ କରିଛନ୍ତି । ତେବେ ଶିଶୁ କଳାକାର ୟୁଭିକାଙ୍କ ପାଇଁ କେନ୍ଦୁଝର ଜିଲ୍ଲା ଜାତୀୟସ୍ତରରେ ଚର୍ଚ୍ଚିତ ହୋଇପାରିଛି ।

କେନ୍ଦୁଝର ସଦର ବ୍ଲକ୍‌ ରାଇକଳା ପଞ୍ଚାୟତର ଟାଙ୍ଗରାଣୀ ଗ୍ରାମର ସରୋଜ କୁମାର ବ୍ରହ୍ମ ଓ ରୋଜାଲିନ୍‌ ବିଶ୍ୱାଳଙ୍କ ଏକମାତ୍ର କନ୍ୟା ୟୁଭିକା । ତୁଳସୀ ଦୁଇପତ୍ରରୁ ବାସିଲା ଭଳି ଛୋଟ ବେଳରୁ ବିଭିନ୍ନ କଳାକାରଙ୍କ ସଂଳାପଙ୍କ ଟେଲିଭିଜନରେ ଦେଖି ଅନୁକରଣ କରି ଅଭିନୟ କରିବା ତାଙ୍କର ନିଶା ହୋଇଥିଲା । ଅତି କଠିନ ସଂଳାପଙ୍କ ମନେ ରଖି ଚମତ୍କାର ସଂଳାପ ସହିତ ଅଭିନୟକୁ ଜୀବନ୍ତ କରିବାରେ ମାହିର ଥିଲେ ସେ । କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଥିବାରୁ ଭୁବନେଶ୍ୱର ପଟିଆ ଅଞ୍ଚଳରେ ରହୁଛନ୍ତି । ମାତ୍ର ୯ ବର୍ଷ ବୟସରେ ଏକ କଳା ସିନେମାରେ ଅଭିନୟ କରିବାର ସୁଯୋଗ ତାଙ୍କୁ ମିଳିଥିଲା । ତେବେ ନିଜର ପ୍ରତିଭାକୁ ସେ ସଂପୂର୍ଣ୍ଣ ଭାବେ ପରିପ୍ରକାଶ କରି ପାରିନଥିଲେ । ଗତ ୮ ମାସ ତଳେ ନନ୍ଦିତା ଦାସ ନିର୍ଦ୍ଦେଶନାରେ ଏକ ସିନେମା ପ୍ରସ୍ତୁତି ହେବା ସମୟରେ ଏହାର ଅଡିସନ୍‌ ପାଇଁ ବିଦ୍ୟାଳୟକୁ ସୂଚନା ଆସିଥିଲା । ଫଳରେ ଅଡିସନ୍‌ରେ ୟୁଭିକା ଅଂଶଗ୍ରହଣ କରି ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ବିଚାରକ ମଣ୍ଡଳୀ ସହିତ ନିର୍ଦ୍ଦେଶିକା ଓ ପ୍ରଯୋଜକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍‌ଲାଇନ୍‌ରେ ୟୁଭିକାଙ୍କ ଅଭିନୟ ଦେଖି ବଲିଉଡରୁ ଡାକରା ଆସିଥିଲା । ସେଠାରେ ସ୍କ୍ରିନ୍‌ ଟେଷ୍ଟ ପରେ ଶୀର୍ଷରେ ପହଞ୍ଚିଥିଲେ ସେ ।

ତାଙ୍କର ଅଭିନୟ ଓ ଆଖିର ଯାଦୁ ବଡ଼ ବଡ଼ କଳାକାରଙ୍କୁ ମଧ୍ୟ ଚକିତ କରି ଦେଇଥିଲା । ନିର୍ଦ୍ଦେଶିକା ନନ୍ଦିତା ଦାସ ସିନେମା ରିଲିଜ୍‌ ପୂର୍ବରୁ ୟୁଭିକାଙ୍କ ଅନେକ ତାରିଫ୍‌ କରିଛନ୍ତି । ଏହି ଚଚ୍ଚଳିତ୍ରରେ କପିଲ ଶର୍ମା ଓ ତାଙ୍କ ବିପକ୍ଷରେ ନାୟିକା ଭାବେ ଶାହାନା ଗୋସ୍ୱାମୀ ଅଭିନୟ କରିଥିବା ବେଳେ ଝିଅ ଭାବେ ୟୁଭିକା ଅଭିନୟ କରିଛନ୍ତି । ସିନେମା ରିଲିଜ୍‌ ପୂର୍ବରୁ ଏହାର ଟ୍ରେଲରରେ ଶିଶୁ କଳାକାର ୟୁଭିକାଙ୍କ ଯାଦୁଗରୀ ଓ ଦମ୍‌ଦାର ଅଭିନୟ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି । ୟୁଭିକାଙ୍କ ଏହି ସୁଯୋଗ ପାଇଁ ଆଜି ଓଡିଶାକୁ ପୁଣି ଜାତୀୟସ୍ତରରେ ପରିଚୟ ମିଳିଛି।

You May Also Like

More From Author

+ There are no comments

Add yours