ନିଜେ ରଚିଥିଲା ନିଜ ମୃତ୍ୟୁର ମିଛ ନାଟକ, ଶରତ ପରିଚ୍ଛାଙ୍କୁ ମୁମ୍ବାଇରୁ ଉଦ୍ଧାର କଲା ଗଜପତି ପୁଲିସ

ଶବ୍ଦ ଓଡିଶା ବ୍ୟୁରୋ: ଦାଦନର ମୃତ୍ୟୁ ନାଟକ । ମୃତ୍ୟୁର ୧୦ ଦିନ ପରେ ଆସିଲା ଦାଦନ ଶ୍ରମିକଙ୍କ ଜୀବିତ ଥିବା ଖବର । ଗଜପତିରୁ ଦାଦନ ଖଟିବାକୁ ଯାଇଥିବା ଶରତ ପରିଚ୍ଛାଙ୍କୁ ତାମିଲନାଡୁରେ ହତ୍ୟା, ଏପରି ସାଂଘାତିକ ଅଭିଯୋଗ ରାଜ୍ୟରେ ହଇଚଇ ଖେଳାଇ ଦେଇଥିଲା । ଏବେ ଏହି ଘଟଣାରେ ଆସିଛି ନାଟକୀୟ ମୋଡ଼ । ନିଜେ ମୃତ୍ୟୁର ନାଟକ ରଚିଥିଲା ଶରତ । ମୁମ୍ବାଇରୁ ତାଙ୍କୁ ଉଦ୍ଧାର କରିଛି ଗଜପତି ପୁଲିସ ।
ଗତ ୫ ତାରିଖରେ ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବାରିଆପଦା ଗାଁର ଦାଦନ ଶ୍ରମିକ ଶରତ ପରିଚ୍ଛାଙ୍କୁ ତାମିଲନାଡୁରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ । ଅଭିଯୋଗ ଅନୁସାରେ ଶରତଙ୍କ ଦେଢ଼ଶାଶୁଙ୍କ ନିକଟକୁ ଆସିଥିଲା ଭିଡିଓ କଲ୍, ଯେଉଁଥିରେ ଥିଲା ଶରତଙ୍କ ମୃତଦେହର ଫଟୋ । କିଛି ଦୁର୍ବୃତ ତାଙ୍କ ନିର୍ଯାତନା ଦେଇ ହତ୍ୟା କରିଥିବା କୁହାଯାଇଥିଲା । ଯାହାକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା । ଶବ ଫେରାଇ ଆଣିବା ପାଇଁ ପ୍ରଶାସନକୁ ଗୁହାରି କରିବା ସହ ଅଡ଼ବା ଥାନାରେ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର । ମାମଲାକୁ ଅତି ଗୁରୁତର ସହ ନେଇଥିଲା ଗଜପତି ପୁଲିସ । ସ୍ୱତନ୍ତ୍ର ଟିମ୍ ଗଠନ କରି ଆରମ୍ଭ କରିଥିଲେ ତଦନ୍ତ ।
ତାମିଲନାଡୁ ପୁଲିସକୁ ମଧ୍ୟ ଏ ନେଇ ଯୋଗାଯୋଗ କରାଯାଇଥିଲା । ଯେଉଁ ନମ୍ବରରୁ ଫୋନ ଆସିଥିଲା, ତାକୁ ଟ୍ରାକିଂ କରିବା ପରେ ମୁମ୍ବାଇ ଲୋକେସନ୍ ଦେଖାଇବାରୁ ସଂଦେହ କରିଥିଲା ଗଜପତି ପୁଲିସ । ତଦନ୍ତ ପରେ ଯାହା ଜଣା ପଡିଥିଲା, ତାହା ଚମକାଇ ଦେବା ଭଳି । ଶରତ ଜୀବିତ ଥିବା ଏବଂ ସେ ମୁମ୍ବାଇର ଏକ ମାଛ ମାର୍କେଟରେ କାମ କରୁଥିବା ଜାଣିବାକୁ ମିଳିଥିଲା । ପୁଲିସର ସ୍ୱତନ୍ତ୍ର ଟିମ୍ ମୁମ୍ବାଇ ଯାଇ ଶରତଙ୍କୁ ଉଦ୍ଧାର କରିଥିବା କହିଛନ୍ତି ଗଜପତି ଏସପି ।

You May Also Like

More From Author

+ There are no comments

Add yours