ଶବ୍ଦମିଡ଼ିଆ ବ୍ୟୁରୋ:ଏଚ୍୩ଏନ୍୨ ଭୂତାଣୁ କୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସଜାଗ ହୋଇଛନ୍ତି। ସଂକ୍ରମଣକୁ ନେଇ ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ଜାରି କରିଛି । ୨ମାସ ମଧ୍ୟରେ ସଂଗୃହୀତ ୨୨୫ ଜଣଙ୍କ ନମୁନାରୁ ୫୯ ଜଣ ପଜିଟିଭି ଥିବା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି । ଏଚ୍୩ଏନ୍୨ ଭାଇରସ୍ରେ ପୀଡ଼ିତ ରୋଗୀ କୋଭିଡ୍ ପରି ଥଣ୍ଡା, ଜ୍ୱର, କାଶ, ତଣ୍ଟି ଦରଜ ସହ ଶ୍ୱାସକ୍ରିୟା ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହାର ନିରାକରଣ ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଇଛି।
ତେବେ ଏ ସମ୍ପର୍କରେ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ସ୍ୱାସ୍ଥ୍ୟ ବିଭାଗରୁ ଏବେ ସୁଦ୍ଧା ନିର୍ଦ୍ଦେଶନାମା ହସ୍ତଗତ ହୋଇନଥିଲେ ମଧ୍ୟ ବିଭିନ୍ନ ବିଭାଗୀୟ ଡାକ୍ତରଙ୍କୁ ଆଲର୍ଟ ରହିବାକୁ ଅବଗତ କରାଇଛୁ ।
ସେ କହିଛନ୍ତି, ସୋମବାର ଏ ସମ୍ପର୍କିତ ନିର୍ଦ୍ଦେଶନାମା ଆମର ହସ୍ତଗତ ହେବ । ଏସ୍ସିବିରେ ବିଭାଗୀୟ ଡାକ୍ତରଙ୍କ ସହ ଆଲୋଚନା ଲାଗି ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ବସିବ । ପୂର୍ବରୁ କୋଭିଡ୍ ସଂକ୍ରମଣ ଲାଗି ଡାକ୍ତରଖାନାରେ ଯେଉଁସବୁ ପଦକ୍ଷେପ ନିଆଯାଉଥିଲା ସେହି ଆଧାରରେ ଏଚ୍୩ଏନ୍୨ ଗାଇଡ୍ଲାଇନ୍ ପାଳନ କରାଯିବା ଦିଗରେ ପଦକ୍ଷେପ ନେବୁ । ଏଥିଲାଗି ନିର୍ଦ୍ଦିଷ୍ଟ ୱାର୍ଡ ଏବଂ ଆଇସିୟୁ ମଧ୍ୟ ଚିହ୍ନଟ ହୋଇସାରିଛି । ସେହିପରି ଉକ୍ତ ଏଚ୍୩ଏନ୍୨ ଭୂତାଣୁ ଚିହ୍ନଟ କରିବାକୁ ପରୀକ୍ଷା ନିରୀକ୍ଷା ଲାଗି ମାଇକ୍ରୋ ବାୟୋଲୋଜି ଏବଂ ବାୟୋକେମେଷ୍ଟ୍ରି ଆଦି ବିଭାଗ ମଧ୍ୟ ସଜାଗ ରହିବ ବୋଲି ଅଧୀକ୍ଷକ ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଏଚ୍୩ଏନ୍୨ ଭୂତାଣୁର ଚିହ୍ନଟ ଉପରେ ସ୍ୱାସ୍ଥ୍ୟ ଅଧିକାରୀ ଗୁରୁତ୍ୱ ଦେଉଛନ୍ତି । ଏହାର ନିର୍ଦ୍ଦିିଷ୍ଟ କିଛି ଚିକିତ୍ସା ନଥିଲେ ମଧ୍ୟ କୋଭିଡ୍ରେ ସଂକ୍ରମିତ ରୋଗୀ ଯେଉଁଭଳି ଚିକିତ୍ସିତ ହେଉଥିଲେ ଉକ୍ତ ଭୂତାଣୁରେ ସଂକ୍ରମିତ ରୋଗୀମାନେ ମଧ୍ୟ ସେହିଭଳି ଚିକିତ୍ସିତ ହେବେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏସ୍ସିବିରେ ଅକ୍ସିଜେନ୍ ମହଜୁଦ୍ ରହିଛି । ସେହିପରି ଖୁବ ଶୀଘ୍ର ୱାର୍ଡ ଖୋଲାଯିବା ସହ ଆଇସିୟୁ ବନ୍ଦୋବସ୍ତ କରାଯିବ ଏବଂ ଡାକ୍ତର ଆଦି ପାରା ମେଡିକାଲ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ନିୟୋଜିତ କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି ।ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଆଗୁଆ ପ୍ରସ୍ତୁତି ଭୁତାଣୁକୁ ରୋକିବାରେ ନିଶ୍ଚୟ ସହାୟକ ହେବ।
