ଆଗକୁ ୨୦୨୪ ନିର୍ବାଚନ,ଓଡ଼ିଶାର ଏହି ସବୁ ସ୍ଥାନରେ ବିଶାଳ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶବ୍ଦମିଡ଼ିଆ ବ୍ୟୁରୋ:ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ନିର୍ବାଚନ ହେବ।ଜାତୀୟ ସ୍ତରରେ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି।ଏହାକୁ ଦୃଷ୍ଟିରେ ରଖି ବିଜେପି ରଣନୀତି ପ୍ରସ୍ତୁତିରେ ଲାଗିପଡିଛି । ଲୋକସଭା ନିର୍ବାଚନ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ୨୦୧୯ ନିର୍ବାଚନରେ ବିଜେପି ହାରିଥିବା ୧୬୦ଟି ଲୋକସଭା ଆସନ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରିଛି ।

ସେହି ନିର୍ବାଚନ ମଣ୍ଡଳୀଗୁଡିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ରୁ ଅଧିକ ମେଗା ରାଲି କରିବେ । ଏଥିପାଇଁ ଦଳର ଜାତୀୟ ସଭାପତି ଜେପି ନଡ୍ଡ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବାବେଳେ ରାଲି ଗୁଡିକର ପ୍ରସ୍ତୁତି ପାଇଁ ବିଜେପିର ୩ ଜାତୀୟ ସାଧାରଣ ସଚିବ ସୁନୀଲ ବଂଶଲ, ବିନୋଦ ତାୱେଡ ଏବଂ ତରୁଣ ଚୁଘଙ୍କୁ ଦାୟିତ୍ୱ ଦିଆଯାଇଛି । ଓଡ଼ିଶାର ୧୩ ସ୍ଥାନରେ ମୋଦି, ଅମିତ ଶାହା ଓ ଜେପି ନ୍‌ଡ଼ା ବିଶାଳ ସମାବେଶ କରିବେ ।

୨୦୧୯ରେ ଓଡ଼ିଶାରେ ପ୍ରଭାବୀ ପ୍ରଦର୍ଶନ କରିଥିଲା ବିଜେପି । ୨୦୦୯ ଓ ୨୦୧୪ ତୁଳନାରେ ଦଳକୁ ମିଳିଥିଲା ଆଶାତୀତ ସଫଳତା । ବିଧାନସଭା ନିର୍ବାଚନରେ ଦଳ ସେଭଳି ସଫଳ ହୋଇନଥିଲେବି ୮ ଲୋକସଭା ସାଂସଦ ଜିଣିପାରିଥିଲେ । ଓଡ଼ିଶାରେ ମୋଦିଙ୍କ କ୍ରେଜ ଥିବାରୁ ସାଂସଦ ପ୍ରାର୍ଥୀଙ୍କ ବିଜୟ ସହଜ ହୋଇଥିଲା । ଏବେବି ରାଜ୍ୟରେ ମୋଦିଙ୍କ କ୍ରେଜ ଥିବା ସର୍ଭେରୁ ଜଣାପଡ଼ିଛି । ଏହାକୁ ଆଖିଆଗରେ ରଖି ୨୦୧୯ରେ ଦଳ ହାରିଥିବା ୧୩ଟି ସ୍ଥାନରେ ବଡ଼ ସମାବେଶ କରିବାକୁ ବିଜେପି ଯୋଜନା କରିଛି । କେନ୍ଦୁଝରରେ ବିଜୁ ଜନତା ଦଳର ଚନ୍ଦ୍ରାଣୀ ମୁର୍ମୂ ବିଜେପି ପ୍ରାର୍ଥୀ ଅନନ୍ତ ନାୟକଙ୍କୁ ୬୬ହଜାର ଭୋଟରେ ହରାଇଥିଲେ । ଭଦ୍ରକରେ ବିଜେପିକୁ ୨୮ହଜାର ଭୋଟରେ ହରାଇ ଥିଲା ବିଜେଡି । ସେହିପରି ବିଜୁ ଜନତା ଦଳ ଯାଜପୁରରେ ଲକ୍ଷେ ଭୋଟ, ଢେଙ୍କାନାଳରେ ୩୫ହଜାର ଭୋଟ, କନ୍ଧମାଳରେ ଲକ୍ଷେ ଭୋଟ, କଟକରେ ଲକ୍ଷେ ଭୋଟ, କେନ୍ଦ୍ରାପଡାରେ ଦେଢଲକ୍ଷରୁ ଉଦ୍ଧ୍ୱର୍ ଭୋଟ, ଜଗତସିଂହପୁରରେ ଅଢେଇ ଲକ୍ଷରୁ ଉଦ୍ଧ୍ୱର୍ ଭୋଟରେ ବିଜେପିକୁ ହରାଇଥିଲା । ସେହିପରି ପୁରୀରେ ୧୧ହଜାର ଭୋଟ, ଆସ୍କାରେ ୨ଲକ୍ଷ ଭୋଟ, ବ୍ରହ୍ମପୁରରେ ୯୪ ହଜାର ଭୋଟରେ ବିଜେଡି ବାଜିମାତ କରିଥିଲା । ତେଣୁ ଓଡିଶାର ଏହିସବୁ ସ୍ଥାନରେ ମୋଦି, ଶାହା ଓ ଜେପି ନଡା ବଡ଼ ସମାବେଶ କରିବେ । ବିଶେଷକରି କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ ଓ ପୁରୀରେ ଦଳ କମ ଭୋଟରେ ହାରିଥିବାରୁ ଏହିସବୁୁ ସ୍ଥାନ ଉପରେ ବିଜେପି ଗୁରୁତ୍ୱ ଦେବ ।

ବିଜେପି ହାରିଥିବା ଲୋକସଭା ଆସନ ଗୁଡିକୁ ବିଭିନ୍ନ କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ପ୍ରତିଟି ବିଭାଗରେ ୮୦ଆସନ ରହୁଛି । ପ୍ରଥମେ ୮୦ ଆସନରେ ନଡ୍ଡା ର‍୍ୟାଲି କରିବେ ଏବଂ ଅନ୍ୟ ୮୦ ଆସନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ର‍୍ୟାଲି ଓ ବୈଠକ କରିବେ । ଏଥିପାଇଁ ଗତଥର ହାରିଥିବା ୧୬୦ ଆସନରେ ଏଥର ବିଜେପି ସପକ୍ଷରେ ଭଲ ଭୋଟ ମିଳିବ ବୋଲି ଦଳ ବିଶ୍ୱାସ ରଖିଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୩ ଆସନରେ ଜିତିଥିଲା । ୨୦୨୪ରେ ୪୦୦ରୁ ଅଧିକ ଆସନରେ ଜିତିବା ନେଇ ଦଳ ଲକ୍ଷ୍ୟ ରଖିଛି । ତେବେ ମୋଦିଙ୍କ ର‍୍ୟାଲି କେତେ ପ୍ରଭାବ ପକାଉଛି? ଲଗାତର ତୃତୀୟ ଥର ପାଇଁ ୨୦୨୪ ଲୋକସଭାରେ ବିଜେପି କ୍ଷମତାକୁ ଫେରି ପାରୁଛି କି ନାହିଁ, ତା’ର ଉତ୍ତର ସମୟ ହିଁ ଦେବ ।ତେବେ ଏଥର ବିଜେପିର ରଣନୀତି କିପରି କାମ କରୁଛି ତା ସମୟ କହିବ।

You May Also Like

More From Author

+ There are no comments

Add yours