ଓଡ଼ିଆ ମହିଳା ବୈଜ୍ଞାନିକ ଡ.ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ମିଳିବ ଆନ୍ତର୍ଜାତିକ ପୁରସ୍କାର

ଶବ୍ଦମିଡ଼ିଆ ବ୍ୟୁରୋ:ମହାରାଷ୍ଟ୍ର ରାଜ୍ୟର ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଓଡ଼ିଆ ମହିଳା ବୈଜ୍ଞାନିକ ଡ. ଜ୍ୟୋତିର୍ମୟୀ ମହାନ୍ତି ୨୦୨୩ ମସିହାର ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର (ଆଇୟୁପିଏସି ଡିଷ୍ଟିଂଉଇସ୍‌ ଓମା୍ୟନ ଇନ୍‌ କେମେଷ୍ଟି ଅର୍‌ କେମିକାଲ ଇଞ୍ଜିନିୟରିଂ) ପାଇଁ ମନୋନୀତ ହୋଇଛନ୍ତି।

ଭାରତର ପ୍ରଥମ ମହିଳାଭାବେ ସେ ଏହି ଶ୍ରେଣୀରେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଆଇୟୁପିଏସି(ଇଣ୍ଟରନ୍ୟାଶନାଲ ୟୁନିୟନ ଅଫ୍‌ ପିଓର ଆଣ୍ଡ ଆପ୍ଲାଏଡ୍‌ କେମେଷ୍ଟ୍ରି) ପକ୍ଷରୁ ୨୦୧୧ ରୁ ଏହି ପୁରସ୍କାର ପ୍ରତି ଦୁଇ ବର୍ଷରେ ଥରେ ରସାୟନ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ନିମନ୍ତେ ବିଶ୍ୱର ୧୨ ଜଣ ମହିଳା ବୈଜ୍ଞାନିକଙ୍କୁ ଦିଆଯାଇଥାଏ । ଆସନ୍ତା ଅଗଷ୍ଟରେ ୨୦ରୁ ୨୫ ପର୍ଯ୍ୟନ୍ତ ଆଇୟୁପିଏସି ପକ୍ଷରୁ ନେଦରଲ୍ୟାଣ୍ଡର ଦି ହେଗ୍‌ଠାରେ ହେବାକୁ ଓ୍ବାଲର୍‌ଡ କେମେଷ୍ଟି କଂଗ୍ରେସରେ ଜ୍ୟୋତିର୍ମୟୀଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି।
ପ୍ରକାଶ ଯୋଗ୍ୟ, ଡ.ଜ୍ୟୋତିର୍ମୟୀ କଟକସ୍ଥିତ ଚାଉଳିଆଗଞ୍ଜ ନିବାସୀ ଶିଶୁରୋଗ ବିଶେଷଜ୍ଞ ଡା. ବୈକୁଣ୍ଠନାଥ ପାତ୍ରଙ୍କ କନ୍ୟା ତଥା ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ତିତିରା ଗ୍ରାମର ବିଷ୍ଣୁଚରଣ ମହାନ୍ତିଙ୍କ ପୁତ୍ରବଧୂ। ସେ ମୁମ୍ବାଇ ନିବାସୀ ଉଦ୍ୟୋଗପତି ଓ ବୈଜ୍ଞାନିକ ଡ. ରଶ୍ମିରଞ୍ଜନ ମହାନ୍ତିଙ୍କ ସ୍ତ୍ରୀ। ୨୦୨୨ରେ ତାଙ୍କୁ ପରମାଣୁ ଉର୍ଜା ବିଭାଗ ତରଫରୁ ହୋମି ଭାବା ବିଜ୍ଞାନ ଓ ପ୍ରଦ୍ୟୋଗିକୀ ପୁରସ୍କାର ଦିଆଯାଇଥିଲା। ଉକ୍ତ ବର୍ଷ ତାଙ୍କୁ ରୟାଲ ସୋସାଇଟି ଅଫ୍‌ କେମିଷ୍ଟ୍ରି, ଲଣ୍ଡନର ଫେଲୋ (ଏଫ୍‌ଆରଏସ୍‌ସି) ଭାବେ ଚୟନ କରାଯାଇଛି । ଦୀର୍ଘ ୨୮ ବର୍ଷର ଗବେଷଣା କାଳ ମଧ୍ୟରେ ଡ. ଜ୍ୟୋତିର୍ମୟୀ ବିବିଧ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି। ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ ୨୦୧୧ରେ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି। ସେ ଶହେରୁ ଊର୍ଦ୍ଧ୍ୱ ଗବେଷଣା ଜନିତ ନିବନ୍ଧ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଜର୍ନାଲରେ ପ୍ରକାଶ କରି ରସାୟନ ବିଜ୍ଞାନ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

You May Also Like

More From Author

+ There are no comments

Add yours