Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଆଜିଠୁ ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ (ରାଉରକେଲା) ଆରମ୍ଭ ହେବ । ଭାରତୀୟ ଦଳ ପ୍ରଥମ ପର୍ଯ୍ୟାୟ ଘରୋଇ ମ୍ୟାଚ୍‌ ଗତ ଅକ୍ଟୋବର-ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମରେ ଖେଳିଥିଲା । ସେତେବେଳେ ସ୍ପେନ ଓ ନ୍ୟୁଜିଲାଣ୍ଡ ଆସିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଘରୋଇ ମ୍ୟାଚ୍‌ ଅଷ୍ଟ୍ରେଲିଆ ଓ ବିଶ୍ୱ ଚାମ୍ପିଅନ ଜର୍ମାନୀ ବିପକ୍ଷରେ (୪ଟି ମ୍ୟାଚ୍‌) ଖେଳିବ ।

ଶୁକ୍ରବାର ଭାରତ ପ୍ରଥମ ମ୍ୟାଚ୍‌ରେ ଜର୍ମାନୀକୁ ଭେଟିବ । ମ୍ୟାଚ୍‌ ସନ୍ଧ୍ୟା ୭ଟା ୧୦ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ମ୍ୟାଚ୍‌ରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

ପଏଣ୍ଟ ଟେବୁଲରେ ଶୀର୍ଷ ଲକ୍ଷ୍ୟ

୨୦୨୨-୨୩ ସିଜନରେ ଭାରତ ଏ ପର୍ଯ୍ୟନ୍ତ ମାତ୍ର ୪ଟି ମ୍ୟାଚ୍‌ ଖେଳିଛି । ଶେଷ ୪ଟି ଘରୋଇ ମ୍ୟାଚ୍‌ରେ ଯଦି ଭଲ ପ୍ରଦର୍ଶନ କରେ ତେବେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉନ୍ନୀତ ହେବାର ସୁଯୋଗ ରହିଛି । ଏବେ ଭାରତ ୮ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ସ୍ପେନ ସର୍ବାଧିକ ୧୭ ପଏଣ୍ଟ ପାଇ ଶୀର୍ଷରେ ଥିବାବେଳେ ଆର୍ଜେଣ୍ଟିନ (୧୩) ଦ୍ୱିତୀୟ ଓ ଇଂଲଣ୍ଡ (୯) ତୃତୀୟ ସ୍ଥାନରେ ରହିଛନ୍ତି । ଜର୍ମାନୀ ୮ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିଛି ।

ହର୍ମନପ୍ରୀତ ସିଂଙ୍କ ନେତୃତ୍ୱରେ ପୁଣି ଥରେ ଭାରତୀୟ ଦଳ ରାଉରକେଲାକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ବହୁତ ଖୁସି ରହିଛି । ଘରୋଇ ଯୁବ ଦଳ ବିଶ୍ୱ ଚାମ୍ପିଅନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପୂରା ପଏଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ସେମିତି ମାଟ୍ସ ଗ୍ରାମବୁଚଙ୍କ ନେତୃତ୍ୱରେ ଜର୍ମାନୀ ଦଳ ମଧ୍ୟ ଦୃଢ଼ ଆତ୍ମବିଶ୍ୱାସର ସହ ଗତ ଦୁଇ ଦିନ ହେଲା ଅଭ୍ୟାସ କରିଛି । ଗତ ଜାନୁଆରୀ ୨୯ରେ କଳିଙ୍ଗ ଷ୍ଟାଡିୟମରେ ଦଳ ବିଶ୍ୱ ଚାମ୍ପିଅନ ହୋଇଥିଲା । ବେଲଜିୟମ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ଟାଣୁଆ ଦଳକୁ ପରାଜିତ କରି ଟାଇଟଲ ଜିତିଥିଲା ।

ବିଶ୍ୱକପ୍‌ ବିଫଳତା ପରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ଇସ୍ତଫା ଦେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକାର ୪୮ ବର୍ଷୀୟ କ୍ରାଗ ଆର୍ଥର ଫୁଲଟନଙ୍କୁ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି ହକି ଇଣ୍ଡିଆ ।

ହର୍ମନପ୍ରୀତ କହିଛନ୍ତି, ‘ ଜର୍ମାନୀ ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଆମ ପାଇଁ ଚ୍ୟାଲେଞ୍ଜିଂ ରହିବ । ଏସୀୟ କ୍ରୀଡ଼ା ପୂର୍ବରୁ ଆମ ପାଇଁ ଏହି ମ୍ୟାଚ୍‌ ଗୁଡ଼ିକ ନିଶ୍ଚିତ ଭାବେ ଉପାଦେୟ ରହିବ । ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବୁ ।ତେବେ ଭାରତ ପାଇଁ ପ୍ରଥମ ସଂସ୍କରଣ ପରେ ଏହା ଦ୍ୱିତୀୟ ସୁଯୋଗ ଏହି ମ୍ୟାଚ ଜିତିଲେ ଭାରତ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିପାରିବ।

By

Leave a Reply

Your email address will not be published. Required fields are marked *