ଆଜିଠାରୁ ବିର୍ସାମୁଣ୍ଡା ଷ୍ଟାଡିୟମରେ ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗ,ପ୍ରଥମ ମ୍ୟାଚରେ ଭାରତ ଜର୍ମାନୀ ମୁକାବିଲା

ଶବ୍ଦମିଡ଼ିଆ ବ୍ୟୁରୋ:ଆଜିଠୁ ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ (ରାଉରକେଲା) ଆରମ୍ଭ ହେବ । ଭାରତୀୟ ଦଳ ପ୍ରଥମ ପର୍ଯ୍ୟାୟ ଘରୋଇ ମ୍ୟାଚ୍‌ ଗତ ଅକ୍ଟୋବର-ନଭେମ୍ବର ମାସରେ କଳିଙ୍ଗ ଷ୍ଟାଡିୟମରେ ଖେଳିଥିଲା । ସେତେବେଳେ ସ୍ପେନ ଓ ନ୍ୟୁଜିଲାଣ୍ଡ ଆସିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଘରୋଇ ମ୍ୟାଚ୍‌ ଅଷ୍ଟ୍ରେଲିଆ ଓ ବିଶ୍ୱ ଚାମ୍ପିଅନ ଜର୍ମାନୀ ବିପକ୍ଷରେ (୪ଟି ମ୍ୟାଚ୍‌) ଖେଳିବ ।

ଶୁକ୍ରବାର ଭାରତ ପ୍ରଥମ ମ୍ୟାଚ୍‌ରେ ଜର୍ମାନୀକୁ ଭେଟିବ । ମ୍ୟାଚ୍‌ ସନ୍ଧ୍ୟା ୭ଟା ୧୦ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ମ୍ୟାଚ୍‌ରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

ପଏଣ୍ଟ ଟେବୁଲରେ ଶୀର୍ଷ ଲକ୍ଷ୍ୟ

୨୦୨୨-୨୩ ସିଜନରେ ଭାରତ ଏ ପର୍ଯ୍ୟନ୍ତ ମାତ୍ର ୪ଟି ମ୍ୟାଚ୍‌ ଖେଳିଛି । ଶେଷ ୪ଟି ଘରୋଇ ମ୍ୟାଚ୍‌ରେ ଯଦି ଭଲ ପ୍ରଦର୍ଶନ କରେ ତେବେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉନ୍ନୀତ ହେବାର ସୁଯୋଗ ରହିଛି । ଏବେ ଭାରତ ୮ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି । ସ୍ପେନ ସର୍ବାଧିକ ୧୭ ପଏଣ୍ଟ ପାଇ ଶୀର୍ଷରେ ଥିବାବେଳେ ଆର୍ଜେଣ୍ଟିନ (୧୩) ଦ୍ୱିତୀୟ ଓ ଇଂଲଣ୍ଡ (୯) ତୃତୀୟ ସ୍ଥାନରେ ରହିଛନ୍ତି । ଜର୍ମାନୀ ୮ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିଛି ।

ହର୍ମନପ୍ରୀତ ସିଂଙ୍କ ନେତୃତ୍ୱରେ ପୁଣି ଥରେ ଭାରତୀୟ ଦଳ ରାଉରକେଲାକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ବହୁତ ଖୁସି ରହିଛି । ଘରୋଇ ଯୁବ ଦଳ ବିଶ୍ୱ ଚାମ୍ପିଅନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପୂରା ପଏଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ସେମିତି ମାଟ୍ସ ଗ୍ରାମବୁଚଙ୍କ ନେତୃତ୍ୱରେ ଜର୍ମାନୀ ଦଳ ମଧ୍ୟ ଦୃଢ଼ ଆତ୍ମବିଶ୍ୱାସର ସହ ଗତ ଦୁଇ ଦିନ ହେଲା ଅଭ୍ୟାସ କରିଛି । ଗତ ଜାନୁଆରୀ ୨୯ରେ କଳିଙ୍ଗ ଷ୍ଟାଡିୟମରେ ଦଳ ବିଶ୍ୱ ଚାମ୍ପିଅନ ହୋଇଥିଲା । ବେଲଜିୟମ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଭଳି ଟାଣୁଆ ଦଳକୁ ପରାଜିତ କରି ଟାଇଟଲ ଜିତିଥିଲା ।

ବିଶ୍ୱକପ୍‌ ବିଫଳତା ପରେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ଇସ୍ତଫା ଦେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକାର ୪୮ ବର୍ଷୀୟ କ୍ରାଗ ଆର୍ଥର ଫୁଲଟନଙ୍କୁ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି ହକି ଇଣ୍ଡିଆ ।

ହର୍ମନପ୍ରୀତ କହିଛନ୍ତି, ‘ ଜର୍ମାନୀ ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଆମ ପାଇଁ ଚ୍ୟାଲେଞ୍ଜିଂ ରହିବ । ଏସୀୟ କ୍ରୀଡ଼ା ପୂର୍ବରୁ ଆମ ପାଇଁ ଏହି ମ୍ୟାଚ୍‌ ଗୁଡ଼ିକ ନିଶ୍ଚିତ ଭାବେ ଉପାଦେୟ ରହିବ । ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବୁ ।ତେବେ ଭାରତ ପାଇଁ ପ୍ରଥମ ସଂସ୍କରଣ ପରେ ଏହା ଦ୍ୱିତୀୟ ସୁଯୋଗ ଏହି ମ୍ୟାଚ ଜିତିଲେ ଭାରତ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିପାରିବ।

You May Also Like

More From Author

+ There are no comments

Add yours