ଓଡିଶା-ଛତିଶଗଡ଼ ସୀମା ବିବାଦ:ଓଡ଼ିଶାର ରାସ୍ତା ନିର୍ମାଣକୁ ଛତିଶଗଡ଼ର ବିରୋଧ

ଶବ୍ଦମିଡ଼ିଆ ବ୍ୟୁରୋ:ଓଡିଶା ଏବଂ ପାର୍ଶ୍ୱବର୍ତ୍ତି ସୀମା ବିବାଦ ସଦା ସର୍ବଦା ଲାଗିରହିଛି।କିଛି ମାସର ବ୍ୟବଧାନ ପରେ ଆଜି ପୁଣି ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ଆରମ୍ଭ ହୋଇଛି।ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସୀମାନ୍ତ କୁସୁମଯୋର ପଞ୍ଚାୟତରେ ଏକ ରାସ୍ତା ନିର୍ମାଣକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଛତିଶଗଡ଼ ପକ୍ଷରୁ ସରଜମିନ୍‌ ତଦନ୍ତ କରି ରାସ୍ତା ନିଜର ବୋଲି ଦାବି କରୁଥିବାବେଳେ ଓଡ଼ିଶା ପକ୍ଷରୁ ଶୀଘ୍ର ଯାଞ୍ଚ ହେବ ବୋଲି କୁହାଯାଇଛି ।

ସୂଚନାମତେ, କୁସୁମଯୋର ପଞ୍ଚାୟତ ସଦରଠାରୁ ମାତ୍ର ଅଧ କିମି ଦୂରରେ ଛତିଶଗଡ଼ ସୀମା ଲାଗିଛି । ଏଠାରେ ଥିବା ଯାମପଡ଼ା ରାସ୍ତା ଉପରେ ଓଡ଼ିଶା ପ୍ରଶାସନ ରାସ୍ତା ନିର୍ମାଣ କରୁଛି । ହେଲେ ସେହି ଅଞ୍ଚଳକୁ ଛତିଶଗଡ଼ ପ୍ରଶାସନ ନିଜର ବୋଲି ଦାବି କରି ରାସ୍ତା ନିର୍ମାଣକୁ ବିରୋଧ କରିଛି । କୁସୁମଯୋର ପଞ୍ଚାୟତ କସେଇପାଣି ଗାଁ ଅଣରାଜସ୍ୱ ଗାଁ ଜାମପଡ଼ା ଦେଇ ସିନାପାଲି ପ୍ରଶାସନ ତରଫରୁ ଏହି ରାସ୍ତା ଉପରେ ୬ଲକ୍ଷ ଅଟକଳରେ ମନରେଗା ରାସ୍ତା କାମ ଆରମ୍ଭ ହୋଇଛି । ଏହି ରାସ୍ତା ଉପରେ ଛତିଶଗଡ଼ ପ୍ରଶାସନ ପୂର୍ବରୁ ପୋଲ ନିର୍ମାଣ ସାଙ୍ଗକୁ ରାସ୍ତା କାମ କରିସାରିଛି । ହେଲେ ବର୍ତ୍ତମାନ ଓଡ଼ିଶା ପକ୍ଷରୁ ନିର୍ମାଣ କରାଯିବାକୁ ଛତିଶଗଡ଼ ପକ୍ଷରୁ ତୀବ୍ର ବିରୋଧ ହୋଇଛି ।

ଘଟଣାକୁ ନେଇ ଛତିଶଗଡ଼ର ସୀମାନ୍ତ କଇଟପଦର ସରପଞ୍ଚ ସେଠାକାର ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ । ଅଭିଯୋଗ ପାଇ ଦେଭୋଗ ତହସିଲଦାର ସରଜମିନ ତଦନ୍ତ କରିବାକୁ ଆସି ଛତିଶଗଡ଼ର ଜାଗା ବୋଲି ଦାବି କରିଥିଲେ । ଏନେଇ ସିନାପାଲି ତହସିଲଦାର ଉପାଞ୍ଜଳି ମାଝିଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରାଯିବ ବୋଲି କହିଛନ୍ତି । ଏହାପୂର୍ବରୁ ମଧ୍ୟ ୨୦୨୧-୨୨ରେ ଏଠାରେ ଅନ୍ୟ ଏକ ରାସ୍ତା କାମକୁ ଛତିଶଗଡ଼ ବିରୋଧ କରିଥିଲା । ସେତେବେଳେ ଉକ୍ତ ରାସ୍ତାଟି ଛତିଶଗଡ଼ର ବୋଲି ଜଣାପଡିଥିଲା । ହେଲେ ପୁଣି ଏବେ ଅନ୍ୟ ଏକ ରାସ୍ତାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଏହି ରାସ୍ତାଟି ଛତିଶଗଡ଼ ନା ଓଡିଶାର ତାହା ଚିହ୍ନଟ କରିବା ପାଇଁ ଉଭୟ ରାଜ୍ୟର ଜନସାଧାରଣ ଦାବି କରିଛନ୍ତି । ତେବେ ରାଜ୍ୟ ସରକାର ସୀମାବିବାଦ ସଂକ୍ରାନ୍ତରେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ କାହିଁକି ନା ଏଭଳି ନିରବ ରହିବା ରାଜ୍ୟ ପାଇଁ ସମସ୍ୟା ଆଣିବ।

You May Also Like

More From Author

+ There are no comments

Add yours