Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ସମ୍ବଲପୁରସ୍ଥିତ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ଏହା ମଧ୍ୟରେ ୪୮ ଘଣ୍ଟା ବିତି ଯାଇଛି।ସୂଚନା ଅନୁସାରେ ଚିନ୍ମୟୀ ସେଦିନ ବ୍ରିଜ ତଳକୁ ଡେଇଁ ପଡ଼ିଥିଲେ।ପରେ ତାଙ୍କର ମୃତ ଦେହ ପିସି ବ୍ରିଜ ପାୱାର ଚ୍ୟାନେଲ ନିକଟରେ ମିଳୁଥିଲା।ତେବେ ଏହା ଆତ୍ମହତ୍ୟା ନୁହେଁ ବୋଲି ପରିବାର ଲୋକ ଦାବିବକରିଛନ୍ତି।ଏହା ମଧ୍ୟରେ ପୋଲିସର କାର୍ଯ୍ୟକଳାପକୁ ନେଇ ଆଜି ଟାର୍ଗେଟ କରିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର।ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ଏବଂ ରାଜ୍ୟରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଚିନ୍ମୟୀ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ବାଟବଣା ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ପ୍ରତିମାନ ଦେଙ୍କ ବାପା ରାଜ୍ୟ ଗୃହ ବିଭାଗର ଯୁଗ୍ମ ସଚିବ ପାହ୍ୟାରେ କାର୍ଯ୍ୟରତ।

ତେଣୁ ପୋଲିସ ଅନୁକମ୍ପା ଦେଖାଉଛି ବୋଲି ଜୟନାରାୟଣ ଅଭିଯୋଗ କରିଛନ୍ତି।
ସମ୍ବଲପୁର କଚେରିରୋଡ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ବିରୋଧୀ ଦଳ ନେତା ମିଶ୍ର କହିଲେ, ରାଜ୍ୟର ପୋଲିସ ପ୍ରଶାସନ ଶାସକ ଦଳ ଦ୍ୱାରା ପରିଚାଳିତ ହେଉଛି। ବିଭିନ୍ନ ସମ୍ବେଦନଶୀଳ ଘଟଣାରେ ପୋଲିସ କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହେଉଛି। ଯଦି ପୋଲିସ ଉପରୁ ଭରସା ତୁଟିଯିବ, ତା’ହେଲେ ରାଜ୍ୟ ଅନ୍ଧକାର ଆଡ଼କୁ ଠେଲି ହୋଇଯିବ। ବିଶ୍ୱସନୀୟତା ବଜାୟ ରଖିବା ପାଇଁ ପୋଲିସକୁ ପଦକ୍ଷେପ ନେବାକୁ ପଡ଼ିବ। ଓଡ଼ିଶା ପୋଲିସ ପ୍ରଥମେ ନିଜର ଛବି ପରିବର୍ତ୍ତନ କରୁ ବୋଲି ସେ କହିଛନ୍ତି।
ଚିନ୍ମୟୀ ମୃତ୍ୟୁ ମାମଲା ଉଠାଇ ସେ କହିଲେ, ଏହା ନୂଆ କଥା ନୁହେଁ, ରାଜ୍ୟରେ ଏଭଳି ଅନେକ ଉଦାହରଣ ରହିଛି। ଏହି କଥା ବିଧାନସଭାରେ ଉଠାଯିବ। ନ୍ୟାୟ ପାଇବା ଓ ତଦନ୍ତ ନେଇ ମୃତକ ପରିବାର ମନରେ ସନ୍ଦେହ ରହୁଛି । ତେଣୁ ପୋଲିସକୁ ତଥ୍ୟ ପ୍ରମାଣ ସହିତ ପରିବାରର ସନ୍ଦେହ ଦୂର କରିବାକୁ ପଡିବ । ପୋଲିସ ହତ୍ୟା ଭଳି ସଙ୍ଗିନ ମାମଲା ରୁଜୁକରି ପ୍ରତିମାନଙ୍କୁ ଅଟକ ରଖିଥିଲା। ହେଲେ ଘଟଣାର ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ତାଙ୍କୁ କୋର୍ଟ ଚାଲାଣ କରାଯାଇ ନାହିଁ। ଯଦି ଅଧିକ ତଦନ୍ତ କରିବାର ଆବଶ୍ୟକ ରହିଥିଲା ତା’ହେଲେ ପୋଲିସ କୋର୍ଟ ଚାଲାଣ କରି କାହିଁକି ରିମାଣ୍ଡରେ ନେଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ରିମାଣ୍ଡରେ ନେଇ ତଦନ୍ତ କଲେ ନିଶ୍ଚିତ ଭାବେ ସତ୍ୟାସତ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି ବୋଲି ମିଶ୍ର କହିଥିଲେ ।
ସୂଚନାଯୋଗ୍ୟ, ସମ୍ବଲପୁର ବୁର୍ଲା ଥାନା ପିସି ବ୍ରିଜ୍‌ ପାୱାର ଚ୍ୟାନେଲରୁ ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀଙ୍କ ମୃତଦେହ ବୁଧବାର ସକାଳେ ଜବତ ହୋଇଥିଲା। ଗୁରୁବାର ବ୍ୟବଚ୍ଛେଦ ରିପୋର୍ଟ ପୋଲିସ ହସ୍ତଗତ କରିଛି। ପାଣିରେ ବୁଡି ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ତଦନ୍ତ ପାଇଁ ୨ଟି ଟିମ୍‌ ଗଠନ କରାଯାଇଛି। ହେଲେ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ଯୁଗ୍ମ ସଚିବଙ୍କ ପୁଅ ପ୍ରତିମାନ ଓ ତାଙ୍କ ସାଙ୍ଗକୁ ପୋଲିସ ଅଟକ ରଖି ଜେରା କରୁଛି।

By

Leave a Reply

Your email address will not be published. Required fields are marked *