Thu. Oct 15th, 2026

ଶବ୍ଦଓଡ଼ିଶା ବ୍ୟୁରୋ: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ୨୦୨୨-୨୩ ବର୍ଷ ପାଇଁ ୧୫୯ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ଯିବେ । ଏହି ବରିଷ୍ଠ ନାଗରିକମାନେ ଚଳିତ ମାସ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଆଜମେର ଓ ପୁଷ୍କର ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏନେଇ ସୂଚନା ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ଯୋଜନା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ତୀର୍ଥଯାତ୍ରାରେ ସାମିଲ ହୋଇଥିବା ବରିଷ୍ଠ ନାଗରିକ ମାନଙ୍କୁ ଉପଯୁକ୍ତ ସ୍ଥାନ ଓ ସମୟରେ ପହଞ୍ଚିବାକୁ ସୂଚିତ କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଥିଲେ।

ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ ବିସ୍ତୃତ ସୂଚନା ଦେଇ ଚଳିତ ତୀର୍ଥଯାତ୍ରାରେ ୧୫୯ ଜଣ ଯାତ୍ରୀ ଙ୍କ ମଧ୍ୟରେ ୧୧୩ ଜଣ ବ୍ୟକ୍ତି ଥିବା ବେଳେ ୨୩ ଜଣ ଦମ୍ପତି ରହିଛନ୍ତି । ସେହିପରି ଏହି ତୀର୍ଥଯାତ୍ରୀଙ୍କ ସହ ୫ ଜଣ ସହାୟକ ମଧ୍ୟ ଯାତ୍ରା କରିବେ।ସମସ୍ତ ତୀର୍ଥଯାତ୍ରୀ ଚଳିତ ମାସ ୩ ତାରିଖ ପୂର୍ବାହ୍ନ ୯ ଘଟିକାରେ ସମସ୍ତ ତୀର୍ଥଯାତ୍ରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ପହଞ୍ଚିବାକୁ ସୂଚନା ଦିଆଯାଇଛି ।

କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରେଡକ୍ରସ ସଦସ୍ୟ ଜୟନ୍ତୀ ମହାପାତ୍ର,ରାଜ କିଶୋର ପାତ୍ର,ମଧୁମିତା ମହାପାତ୍ର ପ୍ରମୁଖ ଯୋଗ ଦେଇ ତୀର୍ଥଯାତ୍ରୀଙ୍କୁ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *