Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଭାରତୀୟ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି।ନିଜ ପ୍ରସଙ୍ଗରେ ବିବୃତ୍ତି ରଖିଛନ୍ତି।ଭାରତୀୟ ଦଳରେ ତାଙ୍କର ଅଧିନାୟକତ୍ୱ ସମୟର କଥା କହିବାକୁ ଯାଇ ବିରାଟ କିଛି କଥା କହିଛନ୍ତି।ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜକୁ ଜଣେ ବିଫଳ ଅଧିନାୟକ ବୋଲି କହିଛନ୍ତି । ତାଙ୍କ ନେତୃତ୍ୱରେ ଦଳ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଥରୁଟିଏ ବି ଚାମ୍ପିଅନ୍ ହୋଇପାରି ନ ଥିଲା । ଏହି କାରଣରୁ ଅଧିକାଂଶ କ୍ରିକେଟ୍‌ପ୍ରେମୀ ତାଙ୍କୁ ବିଫଳ ଅଧିନାୟକ ଆଖ୍ୟା ଦେଇଛନ୍ତି।

କିନ୍ତୁ ଭାରତୀୟ କ୍ରିକେଟ୍ ଟିମ୍‌ରେ ସେ ଆଣିଥିବା ବୈପ୍ଳବିକ ପରିବର୍ତ୍ତନ ପାଇଁ ବେଶ୍ ଗୌରବାନ୍ୱିତ ବୋଲି କୋହଲି ମତ ଦେଇଛନ୍ତି ।

ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ପୋଡ୍‌କାଷ୍ଟ୍‌ରେ ନିଜର ଅଧିନାୟକତ୍ୱ ସମ୍ପର୍କରେ ମତାମତ ଦେବାକୁ ଯାଇ କୋହଲି କହିଛନ୍ତି ଯେ କୌଣସି ଟୁର୍ଣ୍ଣାମେଣ୍ଟ୍ ନିର୍ଦ୍ଦିଷ୍ଟ ସମୟ ପରେ ଲୋକଙ୍କ ମନରୁ ଲିଭିଯାଏ । କିନ୍ତୁ ଦଳରେ ହୋଇଥିବା ପରିବର୍ତ୍ତନ ଦୀର୍ଘସ୍ଥାୟୀ ହୋଇଥାଏ । ଏଥିସକାଶେ କୌଣସି ଖେଳାଳିଙ୍କୁ ସ୍ଥିର ପ୍ରଦର୍ଶନ ଦେବାକୁ ପଡ଼ିଥାଏ । ଏହା କୌଣସି ଗୋଟିଏ ଟୁର୍ଣ୍ଣାମେଣ୍ଟ୍‌ରେ ଟ୍ରଫି ହାସଲ କଲେ ଆସି ନ ଥାଏ ବୋଲି କୋହଲି ମତ ଦେଇଛନ୍ତି । ସେହିପରି ଅଧିନାୟକ ଭାବେ ଦଳକୁ ଆଇସିସି ଟୁର୍ଣ୍ଣାମେଣ୍ଟ୍‌ରେ ଚାମ୍ପିଅନ୍ କରାଇ ନ ଥିଲେ ମଧ୍ୟ ସେ ବିଶ୍ୱକପ୍ ଓ ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍‌ର ସଦସ୍ୟ ହୋଇପାରିଛନ୍ତି । ତା’ଛଡ଼ା ଦଳରେ ସାମିଲ୍ ଥିବା ସମୟରେ ଟିମ୍ ଇଣ୍ଡିଆ ୫ ଥର ଟେଷ୍ଟ୍ ଗଦା ହାସଲ କରିଛନ୍ତି । ତେଣୁ ଏସବୁ ଦୃଷ୍ଟିରୁ ବିଚାର କଲେ, ତାଙ୍କ ସମସାମୟିକ ଅନେକ କ୍ରିକେଟର୍ ଅଛନ୍ତି ଯେଉଁମାନେ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ହୋଇପାରିନାହାନ୍ତି ବୋଲି କୋହଲି କହିଛନ୍ତି ।

ସେହିପରି ୨୦୧୧ ଆଇସିସି ବିଶ୍ୱକପ୍‌ରେ ଭାରତକୁ ଚାମ୍ପିଅନ୍ କରାଇବାରେ ମହେନ୍ଦ୍ର ସିଂହ ଧୋନିଙ୍କ ଭୂମିକାକୁ କୋହଲି ପ୍ରଶଂସା କରିଛନ୍ତି । ତାଙ୍କ କ୍ୟାରିଅର୍‌ର ଖରାପ ସମୟରେ ଧୋନି ତାଙ୍କୁ ଯଥେଷ୍ଟ ସହଯୋଗ କରିଥିବା ମଧ୍ୟ ସେ ସ୍ୱୀକାର କରିଛନ୍ତି । ୨୦୧୧ ବିଶ୍ୱକପ୍ ବିଜୟ ସମୟକୁ ମନେ ପକାଇ କୋହଲି କହିଛନ୍ତି ଯେ ଉକ୍ତ ସଂସ୍କରଣରେ ସଚିନ୍ ତେନ୍ଦୁଲକର ତାଙ୍କର ଷଷ୍ଠ ବିଶ୍ୱକପ୍ ଖେଳି ଚାମ୍ପିଅନ୍ ଟିମ୍‌ର ସଦସ୍ୟ ହୋଇଥିବା ବେଳେ ସେ (କୋହଲି) ପ୍ରଥମ ଥର ବିଶ୍ୱକପ୍‌ରେ ଭାଗ ନେଇ ଏହି ଦଳର ସଦସ୍ୟ ହୋଇପାରିଥିଲେ । ତେଣୁ ସେ ଯାହା ହାସଲ କରିପାରିନାହାନ୍ତି, ସେଥିନେଇ ଆଦୌ ବ୍ୟସ୍ତ କି ବିବ୍ରତ ନୁହନ୍ତି । କ୍ୟାରିଅର୍‌ରେ ଟ୍ରଫି ହାସଲ କରିବା କଦାପି ତାଙ୍କର ଲକ୍ଷ୍ୟ ନ ଥିଲା ବୋଲି ୧୦୬ ଟେଷ୍ଟ୍ ସହ ୨୭୧ ଦିନିକିଆ ଓ ୧୧୫ ଟି-୨୦ ଖେଳି ୨୫ ହଜାରରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ରନ୍ କରିସାରିଥିବା କୋହଲି କହିଛନ୍ତି ।ଏହା କୁହାଯାଇପାରେ ଯେ ବିରାଟ ତାଙ୍କ କ୍ୟାରିଅରରେ ଏଯାବତ ଯେତିକି କ୍ରିକେଟ ମ୍ୟାଚରେ ଯେତିକି ରନ ସ୍କୋର କରିଛନ୍ତି ଖୁବ କମ ଭାରତୀୟ କ୍ରିକେଟର ଏହା କରିପାରିଛନ୍ତି। ସଚିନ ତେନ୍ଦୁଲକରଙ୍କ ପରେ ବିରାଟ କୋହଲିହିଁ ସଚିନଙ୍କ କିଛି ରେକର୍ଡ ସମକକ୍ଷ ହୋଇପାରିଛନ୍ତି।

By

Leave a Reply

Your email address will not be published. Required fields are marked *