Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ: ରାଜ୍ୟର ସବୁଠାରୁ ସୁନ୍ଦର ପର୍ବତ ଦେଓମାଳି। ‘ଦେଓମାଳି ପର୍ବତ ଶିଖର’କୁ ଓଡ଼ିଶାର ‘ୱେଡିଂ ଡେଷ୍ଟିନେସନ୍‌’ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଡେଷ୍ଟିନେସନ୍‌ ୱେଡିଂ ଏବେ ଓଡ଼ିଶାବାସୀଙ୍କ ପାଇଁ ଆଉ ସ୍ବପ୍ନ ‌‌ହୋଇରହିବ ନାହିଁ। ଯୋଧପୁର, ଜୟପୁର, ଗୋଆ ବା କେରଳ ଭଳି ଓଡ଼ିଶାରେ ବି ‌ଡେଷ୍ଟିନେସନ୍‌ ୱେଡିଂ ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ। ବର୍ତ୍ତମାନ ସମୟରେ ‘ଡେଷ୍ଟିନେସନ୍‌ ୱେଡିଂ’କୁ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆ‌ଗ୍ରହ ରହିଛି। କିନ୍ତୁ ଓଡ଼ିଶାରେ ଏଭଳି ବିବାହ ସମାରୋହ ଆୟୋଜନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ବିକଶିତ ହୋଇପାରିନାହିଁ। ଫଳରେ ଲୋକମାନେ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟବାସୀଙ୍କ ଏହି ଅଭାବ ପୂରଣ ପାଇଁ ଏଥର ରାଜ୍ୟ ପର୍ଯ୍ୟଟନ ବିଭାଗ ଅଣ୍ଟା ଭିଡ଼ିଛି। ପର୍ବତ ଶିଖର ଉପରେ ମେଘମାଳ ଭିତରେ ବିବାହ କରିବାର ସୁଯୋଗ ଦେବାକୁ ଯାଉଛି ପର୍ଯ୍ୟଟନ ବିଭାଗ।
ପର୍ଯ୍ୟଟନ ବିଭାଗର ‘ସପ୍ତାହନ୍ତ ପର୍ଯ୍ୟଟନ’ ବିକାଶ ପାଇଁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ବହୁ ଦୂର ରହିଥିବାରୁ କର୍ମବ୍ୟସ୍ତତା‌ ଭିତରେ ପର୍ଯ୍ୟଟକମାନେ ଭ୍ରମଣ କରିବା ସମ୍ଭବ ହେଉନାହିଁ। ଏଣୁ ୨ ଘଣ୍ଟାର ଯାତ୍ରା କରି ପର୍ଯ୍ୟଟନସ୍ଥଳ ବୁଲିବା ଓ ରାତ୍ରିଯାପନ ଆଦି କରି ତା’ ପର ଦିନ ଘରକୁ ଫେରି ଅଫିସ୍‌ କାର୍ଯ୍ୟରେ ଯୋଗ ଦେବା ଭଳି ଭିତ୍ତିଭୂମି ବିକାଶ କରିବ ପର୍ଯ୍ୟଟନ ବିଭାଗ। ସପ୍ତାହନ୍ତରେ ସେ ଯେତେବେଳେ ଚାହିଁବେ ସେତେବେଳେ ଯାଇ ବୁଲି ଆସି ପାରିବେ। ଏନେଇ ହୋଟେଲ, ଗେଷ୍ଟହାଉସ୍‌ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳରେ ଘର ଭଡ଼ା ଆଦି ବ୍ୟବସ୍ଥା ସହ ପର୍ଯ୍ୟଟନ ପାଇଁ ଅତ୍ୟାଧୁନିକ ଭିତ୍ତିଭୂମିକୁ ବିକଶିତ କରାଯିବ।

Leave a Reply

Your email address will not be published. Required fields are marked *