ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ପୁରୀ ଜିଲ୍ଲାରେ ସୁଆଣ୍ଡୋ ଗ୍ରାମରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ପ୍ରଥମେ ସୁଆଣ୍ଡୋଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ପ୍ରଥମେ ଗାଁମୁଣ୍ଡରେ ଥିବା ଶିବ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ଉତ୍କଳମଣିଙ୍କ ଜନ୍ମସ୍ଥାନକୁ ଯାଇଥିଲେ। ସେଠାରେ ଗୋପବନ୍ଧୁ ଦାସଙ୍କ ଷଠୀଘର ବୁଲି ଦେଖିଛନ୍ତି।
ଏହାପରେ ନୂତନ ଭାବରେ ସ୍ଥାପନ ହୋଇଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ପରେ ନବ ନିର୍ମିତ ମ୍ୟୁଜିୟମର ଲୋକାର୍ପଣ କରିଥିଲେ।
ନୂଆରୂପରେ ଝଲସୁଛି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ । ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ପୀଠ ଏବେ ପାଇଛି ଜୀବନ୍ୟାସ । ସୁଆଣ୍ଡୋକୁ ହେରିଟେଜ୍ ଭିଜେଲ୍ ଓ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ବିକାଶିତ କରାଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୨୫ କୋଟି ଟଙ୍କା । ଉତ୍କଳମଣିଙ୍କ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଗୋପବନ୍ଧୁ ଦାସଙ୍କ ଷଠିଘର, ଜନ୍ମପୀଠ ପରିକ୍ରମା ରାସ୍ତା ସହିତ ସଂଗ୍ରହାଳୟ ସହ ସୂଚନା କେନ୍ଦ୍ର ନିର୍ମାଣ ହୋଇଛି । ଏହାସହିତ ନିର୍ମାଣ ହୋଇଛି ଶିଶୁ ପାର୍କ । ଉତ୍କଳମଣିଙ୍କ ଜନ୍ମସ୍ଥାନ ନିକଟରେ ନୂତନ ପୁଷ୍ପରିଣୀ ଖୋଳାଯାଇଛି । ଗାଁରେ ଥିବା ପୁରାତନ ମନ୍ଦିରକୁ ଭଙ୍ଗାଯାଇ ନୂତନ ମନ୍ଦିର ନିର୍ମାଣ ହୋଇଛି । ପ୍ରତିଷ୍ଠା ହୋଇଛି ରାଧା ବିନୋଦ ବିହାରୀ ମନ୍ଦିର । ଆଜିର ଲୋକାର୍ପଣ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
