ଶବ୍ଦମିଡ଼ିଆ ବ୍ୟୁରୋ:ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବିରେ ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ଆରବିଏସ୍କେ ଆୟୁଷ ଡାକ୍ତର। ଏଥିପାଇଁ ସ୍ୱାସ୍ଥ୍ୟ ଜନିତ ଜରୁରୀକାଳୀନ ସେବା ବ୍ୟାହତ ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଆରବିଏସକେ ଆୟୁଷ ଡାକ୍ତର ସଂଘ ଚେତାବନୀ ଦେଇଛି।ସଂଘ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସ୍କେ) ଜରିଆରେ ୯ ବର୍ଷରୁ ଅଧିକ ସମୟ ଧରି ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ ହେଁ ସରକାର ସ୍ଥାୟୀ ନିଯୁକ୍ତ ଦେଉନାହାନ୍ତି।
ସଂଘ ଏନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ୧୯ ତାରିଖ ସୁଦ୍ଧା ଆଲୋଚନା ପାଇଁ ରାଜ୍ୟ ସରକାର ନ ଡାକିଲେ ୨୦ରୁ କାର୍ଯ୍ୟବନ୍ଦ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ। ତେବେ ଏପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ସୋମବାରଠାରୁ ଲୋୟର ପିଏମ୍ଜିରେ ଧାରଣା ଦିଆଯିବ। କଂଗ୍ରେସ ଭବନଠାରୁ ଏକ ଶୋଭାଯାତ୍ରାରେ ଯାଇ ଲୋୟର ପିଏମ୍ଜିରେ ସ୍ଥାୟୀ ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ। ଏହି ଅବସରରେ ସଂଘ ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ପରିଚାଳନା ନିର୍ଦେଶକ ଓ ସ୍ବାସ୍ଥ୍ୟ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ। ଗତ ୧୬ରୁ ଏହି ଯୋଜନାରେ କାର୍ଯ୍ୟରତ ସମସ୍ତ ଡାକ୍ତର କାର୍ଯ୍ୟାଳୟ ଯାଉଥିବାବେଳେ କୌଣସି କାର୍ଯ୍ୟ କରୁ ନ ଥିବା ଜଣାପଡିଛି।
ସଂଘର ସାଧାରଣ ସମ୍ପାଦକ ଡା. ରବୀନ୍ଦ୍ର ସେଠୀଙ୍କ ସୂଚନା ଅନୁସାରେ ରାଜ୍ୟରେ ୧୨୭୨ ଆରବିଏସ୍କେ ଆୟୁଷ ଡାକ୍ତର ପଦବୀ ଥିବାବେଳେ ଏବେ ୧୦୪୫ ଡାକ୍ତର କାର୍ଯ୍ୟ କରୁଛନ୍ତି। ସ୍ଥାୟୀ ନିଯୁକ୍ତି ନ ମିଳିବାରୁ ଡାକ୍ତରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁଦାନରେ ନିଯୁକ୍ତିପ୍ରାପ୍ତ ଚୁକ୍ତିଭିତ୍ତିକ ଏମ୍.ବି.ବି.ଏସ୍ ଡାକ୍ତରଙ୍କୁ ମାସିକ ୬୧,୨୬୧ ଟଙ୍କା ବେତନ ପ୍ରଦାନ କରାଯାଉଥିବା ବେଳେ ଆର.ବି.ଏସ୍.କେ ଆୟୁଷ ଡାକ୍ତରଙ୍କୁ ୨୪,୧୭୧ ଟଙ୍କା ଦିଆଯାଉଛି। ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ତଥା ଆଲୋଚନା ନିମନ୍ତେ ଆରବିଏସକେ ଆୟୁଷ ଡାକ୍ତର ସଂଘ ବାରମ୍ବାର ନିବେଦନ କରୁଥିଲେ ମଧ୍ୟ ସରକାର ଉପେକ୍ଷା କରିଆସୁଛନ୍ତି। ଏହାର ପ୍ରତିବାଦରେ ସେମାନେ କାର୍ଯ୍ୟ ଛାଡି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ସେଠୀ କହିଛନ୍ତି।
+ There are no comments
Add yours