ମର୍ମନ୍ତୁଦ ଦୁର୍ଘଟଣା:ଯାତ୍ରୀଙ୍କ ଉପରେ ମାଡିଗଲା ସ୍କରପିଓ,୩ ମୃତ,୧୨ ଆହତ

ଶବ୍ଦମିଡ଼ିଆ ବ୍ୟୁରୋ:ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।ଘଟଣାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।

ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଲାଞ୍ଜିପଲ୍ଲୀ କେଶବ ନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩) ଓ ୧୨ ବର୍ଷୀୟା ନାବାଳିକା ଭାରତୀ ରେଡ଼ି । ଆହତଙ୍କ ମଧ୍ୟରେ ଦୁଇ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡିଛି । ସମସ୍ତ ଆହତଙ୍କୁ MKCG ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ମାଣ୍ଡିଆପଲ୍ଲୀ ଗାଁରେ ଏକ ବିବାହ ପାଇଁ ବରପକ୍ଷ ଲୋକ କନ୍ୟାଘରକୁ ଆସୁଥିଲେ । କନ୍ୟା ପକ୍ଷର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଲୋକେ ବରଯାତ୍ରୀଙ୍କୁ ବାଟବରଣ କରିବାକୁ ଯିବା ପାଇଁ ଛିଡ଼ା ହୋଇଥିଲେ । ଏତିକି ବେଳେ ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ ଗାଡି ସେମାନଙ୍କ ଉପରେ ମାଡିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ମହିଳାଙ୍କ ସହ ଗୋଟିଏ ୧୨ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଥିଲା ଓ ୧୨ରୁ ଅଧିକ ଆହତ ହୋଇଥିଲେ । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ମଦ୍ୟପ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରି ମାଡ ମାରିବା ସହ ଚମାଖଣ୍ଡି ଥାନାରେ ଜିମା ଦେଇଥିବା ସୂଚନା ମିଳିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିବାହ ପାଇଁ ଚଳଚଞ୍ଚଳ ଥିବା ଘର ଏବେ କାନ୍ଦ ବୋବାଳିରେ ଫାଟିପଡୁଛି।ପ୍ରକାଶଥାଉ କି, ଦିନକ ତଳେ ବ୍ରହ୍ମପୁର ଗୋଳନ୍ଥରା ଥାନା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ବିବାହ ପରେ ପ୍ରଥମ ଥର ସ୍ବାମୀଙ୍କୁ ନେଇ କନ୍ୟା ବାଇକ ଯୋଗେ ବାପଘରକୁ ଆସୁଥିବା ବେଳେ ବୋରୱେଲ ଟ୍ରାକ୍ଟର ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ମୃତ ନବଦମ୍ପତି ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଅଞ୍ଚଳର ଜି.ବେଣୁ ଓ ବ୍ରହ୍ମପୁର ସହରର ହନୁମାନ ନଗର ଅଞ୍ଚଳର ସିଏଚ. ପ୍ରବଣିକା । ଗତ ୧୦ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ରୀତିନୀତି ଅନୁସାରେ ବିବାହର ତୃତୀୟ ଦିନ ଝିଅ ଜ୍ବାଇଁ ସହ ବାପଘରକୁ ଫେରୁଥିବା ବେଳେ ବାଟରେ ମୃତ୍ୟୁ ଛକି ବସିଥିଲା।ବାରମ୍ବାର ଏଭଳି ଘଟଣା ଘଟୁଛି ଧନ ଜୀବନ ହାନୀ ହେଉଛି,ଅକାଳେ ଜୀବନ ଝଡି ପଡୁଛି।ତେବେ ଏଥିପାଇଁ ଦାୟୀ ହେଉଛନ୍ତି ବେପାରୁଆ ଭାବରେ ଗାଡି ଚଲାଉଥିବା ଚାଳକ। ନିଜେ ସୁରକ୍ଷିତ ରହିଥିଲେ ମଧ୍ୟ ମଦ ପିଇ ଗାଡି ଚଳାଉଥିବା ଚାଳକ ମାନେ ଆସିକି ଗାଡି ଚଢ଼ାଉଛନ୍ତି।ରାଜ୍ୟ ପରିବହନ ବିଭାଗ ଏଥିପାଇଁ ସଜାଗ ହେବା ଆବଶ୍ୟକ ନଚେତ ଏଭଳି ଦୁର୍ଘଟଣା ବଢିବ ବରଂ କମିବ ନାହିଁ,ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

You May Also Like

More From Author

+ There are no comments

Add yours