ଭାରତ ପାଇଁ କଳା ଦିବସ:ପୁଲୱାମା ଆକ୍ରମଣକୁ ପୁରିଲା ୪ ବର୍ଷ,ପ୍ରାଣ ହରାଇଥିଲେ ୪୦ ଜବାନ

ଶବ୍ଦମିଡ଼ିଆ ବ୍ୟୁରୋ:୨୦୧୯ ଫେବୃୟାରୀ ୧୪ରେ ହୋଇଥିବା ପୁଲୱାମା ଆକ୍ରମଣକୁ ଆଜି ୪ ବର୍ଷ ପୂରିଛି। ମଙ୍ଗଳବାର ଶହୀଦ ଯବାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନେ ପକାଇଛନ୍ତି। ଟୁଇଟ୍‌ରେ କରି ପ୍ରଧାନମନ୍ତ୍ରୀ କହିଛନ୍ତି,ପୁଲୱାମାରେ ଏହି ଦିନ ଆମେ ଆମର ବୀର ଯବାନଙ୍କୁ ହରାଇଥିଲୁ। ଯବାନଙ୍କ ସର୍ବୋଚ୍ଚ ବଳିଦାନକୁ ଭାରତ କେବେ ଭୁଲି ପାରିବାନାହିଁ।

୪ ବର୍ଷ ପୂର୍ବେ ହୋଇଥିବା ଏହି ଆତ୍ମଘାତୀ ଆକ୍ରମଣରେ ଶହୀଦ ହୋଇଥିବା ୪୦ ବୀର ଯବାନଙ୍କ ସ୍ମୃତିରେ ତିଆରି ହୋଇଥିବା ଲେଥପୋରା ସ୍ମାରକରେ ଶହୀଦଙ୍କ ନାମ, ସିଆରପିଏଫ୍‌ର ଧ୍ୟେୟ ବାକ୍ୟ, ସେବା ଏବଂ ନିଷ୍ଠା ଅଙ୍କା ଯାଇଛି।

ପ୍ରକାଶ ଥାଉକି, ୨୦୧୯ ଫେବୃଆରୀ ୧୪ ତାରିଖରେ ଜୈଶ-ଏ-ମହମ୍ମଦ ସିଆରପିଏଫ୍‌ର ଯବାନଙ୍କ ଉପରେ ଆକ୍ରମଣ କରିଥିଲା। ଦିନ ୩ଟାରେ ଜୈଶ-ଏ-ମହମ୍ମଦର ଏକ ଆତଙ୍କୀ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ପୁଲୱାମାରେ ସିଆରପିଏଫ୍‌ର କାରକେଡ୍‌ରେ ବିସ୍ଫୋଟକ ଭରା ଏକ କାର୍ ନେଇ ଟକ୍କର ମାରିଥିଲା। ଏହି ଆକ୍ରମଣରେ ଭାରତ ମାତାର ୪୦ ବୀର ସୁପୁତ୍ର ଶହୀଦ ହୋଇଥିଲେ। ଏହି ହୃଦୟ ବିଦାରକ ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ଆଦିଲ ଅହମ୍ମଦ ଡାର ଏହି ଆତ୍ମଘାତୀ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପଛରେ ସଜ୍ଜାଦ ଭଟ୍ଟ, ମୁଦସିର ଅହମ୍ମଦ ଖାନ ଭଳି ଆତଙ୍କୀଙ୍କ ହାତ ଥିଲା। ଏହି ଆକ୍ରମଣର ଠିକ୍ ୧୨ ଦିନ ପରେ ଭାରତ ଏହାର ପ୍ରତିଶୋଧ ନେଇଥିଲା। ଫେବୃଆରୀ ୨୬ରେ ଭାରତ ବାଲାକୋଟ ଏୟାରଷ୍ଟ୍ରାଇକ୍ କରି ଜୈଶ-ଏ-ମହମ୍ମଦର ଆତଙ୍କୀଙ୍କୁ ନିପାତ କରିଥିଲା।

ଏହି ଆକ୍ରମଣ ପରେ ଫେବୃଆରୀ ୧୭ରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ପ୍ରତ୍ୟେକ ଲୁହର ପ୍ରତିଶୋଧ ନିଆଯିବ। ଶତ୍ରୁଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ସ୍ଵତନ୍ତ୍ରତା ଦିଆଯାଇଛି। ଏହାପରେ ଫେବୃଆରୀ ୨୬ ରାତି ପ୍ରାୟ ୩ଟାରେ ଭାରତୀୟ ବାୟୁସେନାର ୧୨ ମିରାଜ ୨୦୦୦ ଫାଇଟର୍ ଜେଟ୍ ଏଲଓସି ପାର୍ କରି ବାଲାକୋଟ ସ୍ଥିତ ଜୈଶ-ଏ-ମହମ୍ମଦର ଆତଙ୍କୀ ଠିକଣାରେ ଏୟାରଷ୍ଟ୍ରଇକ୍ କରି ଧ୍ଵସ୍ତ କରିଦେଇଥିଲା। ସୂତ୍ର ଅନୁସାରେ ଏହି ଏୟାରଷ୍ଟ୍ରାଇକ୍‌ରେ ୩୦୦ ପାକ୍ ଆତଙ୍କୀ ନିପାତ ହୋଇଥିଲେ। ଏୟାରଷ୍ଟ୍ରାଇକ୍‌ରେ ପ୍ରାୟ ହଜାର କିଲୋ ବମ୍ ଆତଙ୍କୀ ଠିକଣାରେ ବର୍ଷା କରାଯାଇଥିଲା। ଏନଏସଏ ଅଜିତ ଡୋଭାଲ ଏହି ଏୟାରଷ୍ଟ୍ରାଇକ୍‌ର ପ୍ଲାନ ପ୍ରସ୍ତୁତ କରିଥିଲେ। ଏତଦ୍ ବ୍ୟତୀତ ତତ୍କାଳୀନ ବାୟୁସେନା ମୁଖ୍ୟ ବିଏସ୍ ଧନୱା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ଏହି ଆକ୍ରମଣ ପରେ ଏନଆଇଏ ତଦନ୍ତ ଭାର ହାତକୁ ନେଇଥିଲା ଏବଂ ୧୩ ହଜାର ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରିଥିଲା। ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା। ବହୁ ଦେଶ ଏହି ଘଟଣାକୁ ନିନ୍ଦା କରିଥିଲେ। ଆତଙ୍କବାଦ ବିରୋଧରେ ଭାରତର ଲଢେଇକୁ ସମର୍ଥନ କରିଥିଲେ।

You May Also Like

More From Author

+ There are no comments

Add yours