ଆଜି ଉତ୍କଳ ମଣ୍ଡପରେ ଆୟୋଜିତ ହେବ ‘୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’

ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ଉତ୍କଳ ମଣ୍ଡପଠାରେ ଦିଆଯିବ ‘୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’। ପରଦିନ ଅର୍ଥାତ ୧୪ ତାରିଖରେ ଦିଆଯିବ ‘୮ମ ରାଜ୍ୟ ଟେଲି ପୁରସ୍କାର’। ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କିନ୍ତୁ ପୁରସ୍କାର ସମାରୋହ ସମ୍ପର୍କରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ।ଏପରିକି ପୁରସ୍କାର ଦିଆଯିବା ପୂର୍ବରୁ ପୁରସ୍କାର ତାଲିକା‌ ମଧ୍ୟ ସାର୍ବଜନୀନ କରାଯାଇ ନାହିଁ। ପ୍ରଶ୍ନ ଉଠୁଛି, ହାଇକୋର୍ଟଙ୍କ ନି‌ର୍ଦ୍ଦେଶକୁ ମାନି ଯଦି ସ୍ବଚ୍ଛ ଉପାୟରେ ତାଲିକା ପ୍ରସ୍ତୁତ କରାଯାଇଛି, ତେବେ ତାହାକୁ ଆଗୁଆ ଘୋଷଣା କରିବାରେ କେଉଁଠି ଅସୁବିଧା ରହିଲା? କାହାକୁ ଡରି ବିଭାଗ ଏମିତି ତରବରିଆ ଭାବେ ଉତ୍ସବ ଆୟୋଜନ କରୁଛି?

୩୧ ତମ ରାଜ୍ୟ ପୁରସ୍କାର ପାଇଁ ମନୋନୟନ ତାଲିକାକୁ ହାଇକୋର୍ଟ ରଦ୍ଦ କରିଦେଇଥିବା ବେଳେ ଏକ ମାସ ଭିତରେ ସାନି ତାଲିକା ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମିଳିଥିବା ସୂଚନା ମୁତ‌ାବକ, ସଂସ୍କୃତି ବିଭାଗ ସମ୍ପୂର୍ଣ୍ଣ ପୁରସ୍କାର ତାଲିକାକୁ ପୁନଃବିଚାରକୁ ନ ନେଇ ପୁରସ୍କାର ତାଲିକାରୁ ହାଇକୋର୍ଟ ଆପତ୍ତି ଉଠାଇଥିବା ପୁରସ୍କାର ବର୍ଗକୁ ପୁନଃବିଚାର କରିଛି। ଅବଶିଷ୍ଟ ତାଲିକା ସେହିଭଳି ରହିଛି। ବାସ୍ତବରେ ବିଚାରକ ମଣ୍ଡଳୀ ଆଉ ଥରେ ଚଳଚ୍ଚିତ୍ରଗୁଡ଼ିକୁ ଦେଖି ନୂଆ ତାଲିକା ପ୍ରସ୍ତୁତ କରିଛନ୍ତି ନା ତରବରିଆ ଭାବେ ତାହା କରାଯାଇଛି? ଯଦି ନୂଆ ତାଲିକାକୁ ସ୍ବଚ୍ଛ ଉପାୟରେ ପ୍ରସ୍ତୁତ କରାଯାଇଛି, ତେବେ ଏହି ତାଲିକା ସାର୍ବଜନୀନ କରାଯିବାରେ କିଛି ଅସୁବିଧା ନଥିଲା। କିନ୍ତୁ ସେପରି ନକରି ସଂସ୍କୃତି ବିଭାଗ ନିଜେ ବିବାଦ ଭିତରକୁ ଠେଲି ହୋଇଯାଇଛି। ଚଳଚ୍ଚିତ୍ର ସବୁ ଠିକ୍‌ରେ ନ ଦେଖି ତରବରିଆ ଭାବେ ପୁରସ୍କାର ପ୍ରଦାନ କରାଗଲେ ତାହା ଯୋଗ୍ୟ କଳାକାରଙ୍କ ପାଇଁ ଅନ୍ୟାୟ ହେବ ବୋଲି ସିନେପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି।

ଅନ୍ୟପଟେ ଆଇନଗତ ବିବାଦରୁ ଦୂରେଇ ରହିବାକୁ ସଂସ୍କୃତି ବିଭାଗ ପୁରସ୍କାର ତାଲିକ‌ା ଘୋଷଣା ନ କରି ସିଧାସଳଖ ପୁରସ୍କାର ଦେବାକୁ ସ୍ଥିର କରିଥିବା କୁହାଯାଉଛି। ଗତ କିଛି ଦିନ ତଳେ ସମାନ ଢଙ୍ଗରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା। ବିନା କୌଣସି ପୂର୍ବ ସୂଚନା ଓ ପୁରସ୍କାର ତାଲିକା ଘୋଷଣା ନ କରି ସଂସ୍କୃତି ବିଭାଗ ଓ ଏକାଡେମି ସିଧା ପୁରସ୍କାର ପ୍ରଦାନ କରିଥିଲେ।

You May Also Like

More From Author

+ There are no comments

Add yours