ଆସନ୍ତାକାଲି ଜେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଉଦଘାଟନ କରିବେ ଧରଣୀଧର ମେଡିକାଲ କଲେଜ

ଶବ୍ଦମିଡ଼ିଆ ବ୍ୟୁରୋ:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ ତାରିଖ କେନ୍ଦୁଝର ଜଲ୍ଲା ଗସ୍ତରେ ଆସୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦୁଝର । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଧରଣୀଧର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଶୁଭାରମ୍ଭ, ବୋଦାପଳସାସ୍ଥିତ ଧରଣୀଧର ସ୍ପୋର୍ଟସ କମ୍ପେ୍ଲକ୍ସ ଲୋକାର୍ପଣ, ହାଡବନ୍ଧ ପୋଖରୀ ଲୋକାର୍ପଣ, ବଳଦେବଜିଉ ମନ୍ଦିର ଭୋଗ ମଣ୍ଡପ ଲୋକାର୍ପଣ, ଅଡିଟିରିୟମ୍‌ ଲୋକାର୍ପଣ ସହିତ ଯୋଡା, ବଡବିଲ, ଆନନ୍ଦପୁର ଆଦି ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିବା ଶନିବାର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ପ୍ରଦାନ କରିଛନ୍ତି ।

ମେଡିକାଲ କଲେଜ ପରିସରରେ ଲୋକାର୍ପଣ କାର୍ଯ୍ୟକ୍ରମ ରହିଥିବାବେଳେ ଅଡିଟୋରିଅମରେ ଭିଡିଓ ସ୍କ୍ରିନିଂ ଏବଂ ଛାତ୍ର ଛାତ୍ରୀଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଏହାପରେ ମେଡିକାଲ କଲେଜ ନିକଟ ପଡିଆରେ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ହିତାଧିକାରୀଙ୍କୁ ରେଟ୍ରୋ ଫିଟେଡ ସ୍କୁଟର ବଣ୍ଟନ,ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ, ମିଶନ ଶକ୍ତି ଏସଏଚଜିଙ୍କୁ ବିନା ସୁଧରେ ଋଣ ପ୍ରଦାନ ଏବଂ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ମେଡ଼ିକାଲ କଲେଜକୁ ସାଜସଜ୍ଜା କରିବା ସହ ଉକ୍ତ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାଘାଟ ସଫେଇ,ମରାମତି ଓ ସୌନ୍ଦର୍ଯ୍ୟକରଣ କରାଯାଉଛି । ସାଧାରଣ ସଭାସ୍ଥଳରେ ବିଶାଳ ଟେଣ୍ଟ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଟ୍ରାଫିକ୍‌ ନିୟନ୍ତ୍ରଣ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ଏବଂ ଜିଲ୍ଲା ପୁଲିସ ପକ୍ଷରୁ ରୋଡ ମ୍ୟାପ ପ୍ରସ୍ତୁତ କରାଯାଉଥିବାବେଳେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳୀୟସ୍ତରରେ ମଧ୍ୟ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି ।

You May Also Like

More From Author

+ There are no comments

Add yours