ଡାକ୍ତର ବୀଣା ତିୱାରୀଙ୍କୁ ମିଳୁଛି ତୁର୍କୀର ଆଶୀର୍ବାଦ।

ଶବ୍ଦ ଓଡିଶା ବ୍ୟୁରୋ: ତୁର୍କୀରେ ଆସିଥିବା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ଏହି ସଙ୍କଟ ମଧ୍ୟରେ ଭାରତ ସହଯୋଗର ହାତ ବଢାଇଛି । ସେନା ଏବଂ ଏନଡିଆରଏଫର ଟିମ ସେଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଏହି ଅଭିଯାନର ନାମ ରଖାଯାଇଛି ଅପରେସନ ଦୋସ୍ତି । ତୁର୍କୀରେ ଭାରତ ପକ୍ଷରୁ ଚାଲିଥିବା ଉଦ୍ଧାର କାମରେ ଜଣେ ମହିଳା ଅଧିକାରୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ତୁର୍କୀର ଜଣେ ମହିଳା ତାଙ୍କୁ ଗେଲ କରୁଥିବା ନଜର ଆସିଥିଲା । ତେବେ ଲୋକଙ୍କ ମଧ୍ୟରେ ବର୍ତ୍ତମାନ କୌତୁହଳ ରହିଛି ଯେ କିଏ ଏହି ମହିଳା ଅଧିକାରୀ ?

ତୁର୍କୀ ମହିଳାଙ୍କ ଏହି ଫଟୋକୁ ଏଡିଜି ପିଆଇଙ୍କ ଅଫିସିଆଲ ଟ୍ୱିଟର ହାଣ୍ଡେଲରୁ ପୋଷ୍ଟ କରାଯାଇଛି । ତେବେ ଏହା ପରେ ମଧ୍ୟ ଏହିଭଳି ଅନେକ ଫଟୋ ସାମ୍ନାକୁ ଆସିଛି । ଏହା ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଏହି ମହିଳା ଅଧିକାରୀ ହେଉଛନ୍ତି ବୀଣା ତିୱାରୀ । ସେ ସେନାରେ ମେଜର ଭାବେ ଅବସ୍ଥାପିତ ତଥା ଡାକ୍ତର ଅଛନ୍ତି ।

ମେଜର ବୀଣା ତିୱାରୀ ୧୪ଜଣ ଡାକ୍ତର ଏବଂ ୮୬ ଜଣ ପାରାମେଡିକାଲ କର୍ମଚାରୀଙ୍କ ସହ ତୁର୍କୀ ଯାଇଛନ୍ତି । ପୂରା ଟିମରେ ସେ ଏକମାତ୍ର ମହିଳା ଅଧିକାରୀ । ତୁର୍କୀରେ ଭାରତୀୟ ସେନା ନିଜର ଡାକ୍ତରଖାନା ଆରମ୍ଭ କରିଦେଇଛି । ଏଠାରେ ଆହତଙ୍କୁ ଶୀଘ୍ର ଚିକିତ୍ସା ସେବା ଯୋଗାଇଦିଆଯାଉଛି । ଡାକ୍ତରଖାନା ଆରମ୍ଭ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ସେ ମହିଳା ଏବଂ ଶିଶୁଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛନ୍ତି ।

ଡାକ୍ତର ବୀଣା ତିୱାରୀ ଡେରାଡୁନରେ ରହିଥାନ୍ତି । ୨୮ ବର୍ଷୀୟା ଡାକ୍ତର ବୀଣା ତିୱାରୀ ଦିଲ୍ଲୀ ଆର୍ମୀ କଲେଜ ଅଫ ମେଡିକାଲ ସାଇନସେସରୁ ସ୍ନାତକ କରିଛନ୍ତି । ନିଜ ପରିବାରର ସେ ତୃତୀୟ ପିଢି ଯିଏ ସେନାରେ କାର୍ଯ୍ୟରତ ରହିଛନ୍ତି । ତାଙ୍କ ଜେଜେ ସେନାରେ ସୁବେଦାର ପଦରେ ଥିବା ବେଳେ ବାପା ୧୬ କ୍ରାଉନ ଇନଫେନଣ୍ଟ୍ରିରେ ସେବାରତ । ତୁର୍କୀ ଯିବାପୂର୍ବରୁ ସେ ଆସାମରେ ଅବସ୍ଥାପିତ ଥିଲେ । ତାଙ୍କ ସ୍ୱାମୀ ମଧ୍ୟ ଜଣେ ଡାକ୍ତର । ସେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି ।

You May Also Like

More From Author

+ There are no comments

Add yours