ଶବ୍ଦମିଡ଼ିଆ ବ୍ୟୁରୋ:ଭୁବନେଶ୍ୱର,୧୦ା୨: ଶୁକ୍ରବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୂହ ତାଙ୍କୁ ସ୍ବାଗତ କରିବାକୁ ଉପସ୍ଥିତ ଅଛନ୍ତି।ରାଷ୍ଟ୍ରପତି ଉତ୍କଳ ମଣ୍ଡପଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ। ଅପରାହ୍ନ ୩ଟା ୫୫ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ଏହି ଅବସରରେ ୨୨ ଜଣଙ୍କୁ ସ୍ବର୍ଣ୍ଣପଦକ ଓ ୪ ଜଣଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉଚ୍ଚଶିକ୍ଷା ସଚିବ ପ୍ରମୁଖ ଉପସ୍ଥିତ ରହିବେ। ପରେ ରାଜଭବନକୁ ଫେରି ରାତ୍ରିଯାପନ କରିବେ। ୧୧ ତାରିଖ ସକାଳ ୯ଟା ୫ରେ ସେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ ସାରି ପୂର୍ବାହ୍ନରେ କଟକ ବିଦ୍ୟାଧରପୁରସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ୨ୟ ଜାତୀୟ ଧାନ ଗବେଷଣା ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହାପରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
