କଲବଲ କରୁଛି ଶୀତ

କମୁଛି ତାପମାତ୍ରା, ବଢୁଛି ଶୀତ। ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ଶୀତ ବଢ଼ିଛି । ଅନେକ ସ୍ଥାନରେ ରାତି ତାପମାତ୍ରା ତଳକୁ ଖସିଛି । ୧୦ ସହରର ତାପମାତ୍ରା ୫ ଡିଗ୍ରୀ ତଳେ ଥିଲା । କିନ୍ତୁ ଆଜିଠୁ ଅନେକ ସ୍ଥାନରେ ଶୀତ କ୍ରମଶଃ କମିବ । ଉପକୂଳ, ଦକ୍ଷିଣ ଆଭ୍ୟନ୍ତର ଓ ଉତ୍ତର ଆଭ୍ୟନ୍ତରରେ ୭ ସୁଦ୍ଧା ୪ ଡିଗ୍ରୀ ବଢ଼ିପାରେ ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି ।

ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ, ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାରେ ଶନିବାର ରାତିରୁ ୭ ସୁଦ୍ଧା ସ୍ୱାଭାବିକ ତାପମାତ୍ରା କ୍ରମଶଃ ବଢ଼ିବ । ଶୀତ କମିଯିବ । ଦିନ ତାପମାତ୍ରା ବି ବଢ଼ିବ । ପରବର୍ତ୍ତୀ ୪ଦିନରେ ୫ ଡିଗ୍ରୀରୁ ଅଧିକ ତାପମାତ୍ରା ବଢ଼ିଯିବ । ଫଳରେ ଦିନବେଳା ପ୍ରବଳ ତାତି ଅନୁଭୂତ ହେବ । ୧୧ ଯାଏ ଏଭଳି ତାତି ରହିବ । 

ଦକ୍ଷିଣ ଆଭ୍ୟନ୍ତରରେ ରାତି ତାପମାତ୍ରା ୭ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀରୁ ଅଧିକ ବଢିବ । ପରବର୍ତ୍ତୀ ଦୁଇ ଦିନରେ ପୁଣି ୩ ଡିଗ୍ରୀ କମିବ । ସେହିଭଳି ୧୧ ସୁଦ୍ଧା ଦିନ ତାପମାତ୍ରା ୫ ଡିଗ୍ରୀ ବଢ଼ିବ । ଫଳରେ କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଭଳି ଜିଲ୍ଲାରେ ଦିନ ତାପମାତ୍ରା ବହୁତ ବଢ଼ିଯିବ । ଉତ୍ତର ଆଭ୍ୟନ୍ତରରେ ୭ ତାରିଖ ସୁଦ୍ଧା ରାତି ତାପମାତ୍ରା ୪ ଡିଗ୍ରୀ ବଢ଼ିବ । ପରବର୍ତ୍ତୀ ଦୁଇ ଦିନରେ ୨ ଡିଗ୍ରୀ କମିପାରେ । ଦିନର ସର୍ବାଧିକ ତାପମାତ୍ରା ୩ ଡିଗ୍ରୀ ବଢ଼ିବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ତେବେ ୭ ଓ ୮ରେ ରାଜ୍ୟରେ ଘନ କୁହୁଡ଼ି ହୋଇପାରେ ।

ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ବହିବ । ଆଉ ୨୪ ଘଣ୍ଟା ଏହାର ପ୍ରଭାବ ରହିପାରେ । ଶୁକ୍ରବାର ବୌଦ୍ଧ, ନୟାଗଡ଼, ଟିଟିଲାଗଡ଼ ଓ ବାରିପଦାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରହିଛି ।

You May Also Like

More From Author

+ There are no comments

Add yours