Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ରାୟଗଡାରେ ୭୪ ତମ ଗଣତନ୍ତ୍ର ଦିବସ ପାଳନ ହୋଇଛି । ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଜିଲ୍ଲାପାଳ ସ୍ୱଧାଦେବ ସିଂହ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଳାବାସୀଙ୍କୁ ଉଦବୋଧନ ଦେଇ ଜିଲ୍ଳାପାଳ କହିଥିଲେ, ରାୟଗଡା ଜିଲ୍ଳାର ବିକାଶ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଶିକ୍ଷା,ସ୍ୱାସ୍ଥ୍ୟ,ଖାଦ୍ୟ,ବାସଗୃହ,ସାମାଜିକ ନ୍ୟାୟ ଆଦି କ୍ଷେତ୍ରରେ ବିଶେଷ ଦୃଷ୍ଟି ରଖି କାର୍ଯ୍ୟ କରୁଛନ୍ତି । ରାଜ୍ୟ ଖାଦ୍ୟ ନିରାପତା ଓ ଆହାର ଯୋଜନାରେ ଅନେକ ଗରିବ ଲୋକ ଉପକୃତ ହୋଇପାରିଛନ୍ତି । କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ସହ ସାମ୍ବାଦିକଙ୍କ ପାଇଁ ବୀମା ଯୋଜନା,ଜନନୀ ସୁରକ୍ଷା ଯୋଜନା, ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା,ମଧୁବାବୁ ପେନସନ୍‌,କିନ୍ନରଙ୍କ ପାଇଁ ଯୋଜନା ସହ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାର ଗୁରତ୍ୱ ଦେଇଛନ୍ତି ବୋଲି କହିଥିଲେ । ଏଥିସହ ରାୟଗଡାର ଆରାଧ୍ୟ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିର ରେଳବାଇ ଜମିରେ ଅବସ୍ଥିତ ଥିବା ବେଳେ ଦୀର୍ଘ ବର୍ଷର ଉଦ୍ୟମ ପରେ ମାଙ୍କ ମନ୍ଦିର ପରିସରରେ ଥିବା ୬.୩୦ଏକର ଜମିକୁ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ରେଳବାଇ ବୋର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ମଧ୍ୟ କହିଥିଲେ ।
ରାଜସ୍ୱ ସେବାରେ ମଧ୍ୟ ରାୟଗଡା ଜିଲ୍ଳା ରାଜ୍ୟରେ ସୁନାମ ଆଣିପାରିଛି । ଜମିଜମା ରେକର୍ଡ କମ୍ପ୍ୟୁଟରାଇଜେସନ୍ କ୍ଷେତ୍ରରେ ଓଡିଶା ସାରା ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏହି ସଫଳତା ପାଇଁ ନୂଆଦିଲ୍ଳୀ ଠାରେ ରାୟଗଡା ଜିଲ୍ଳାକୁ ମଧ୍ୟ ପୁରସ୍କାର କରାଯିବ । ସରକାରଙ୍କ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସରକାରୀ ଅଧିକାରୀଙ୍କ ଦାୟିତ୍ୱ ସହ ସମସ୍ତ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ ତେଣୁ ଆମ ଜିଲ୍ଳାକୁ ଶ୍ରେଷ୍ଠ ଜିଲ୍ଳାରୁ ଶ୍ରେଷ୍ଠତମ ଜିଲ୍ଳାରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କରନ୍ତୁ ବୋଲି ଜିଲ୍ଳାପାଳ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ମକରନ୍ଦ ମୁଦୁଲି, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ପ୍ରମୁଖ ଯୋଗଦାନ କରି କୃତି ପ୍ରତିଯୋଗୀ ମାଙ୍କୁ ପୁରସ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *