Thu. Oct 15th, 2026

ବାଣପୁର: ୩ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟଣା ରାଜ୍ୟବାସୀଙ୍କ ମନରୁ ଏଯାବତ ଲିଭିନଥିବା ବେଳେ ଆଜି ପୁଣି ବାଣପୁର ଥାନା ଅଞ୍ଚଳରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ କଲେଜ ପଢୁଆ ଛାତ୍ରଙ୍କ ଶବକୁ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି ବାଣପୁର ପୋଲିସ। ଛାତ୍ର ଜଣକ ହେଉଛନ୍ତି ବାଣପୁର ଥାନା ବଡ଼ହନ୍ତୁଆଡ଼ ଗ୍ରାମ ଖମାର ସାହିର ପ୍ରଶାନ୍ତ ମହାପାତ୍ରଙ୍କ ପୁତ୍ର (୧୭) ବର୍ଷର ଆଶୁତୋଷ ମହାପାତ୍ର।

ଆଶୁତୋଷ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷରେ ପାଠ ପଢୁଥିଲେ। ତେବେ ସୋମବାର ପୂର୍ବାହ୍ନରେ ଆଶୁତୋଷଙ୍କୁ ଦୁର୍ବୁତ୍ତମାନେ ଅପହରଣ କରି ନେଇଯାଇଥିବା ନେଇ ବାଣପୁର ଥାନାରେ ଗତକାଲି ଆଶୁତୋଷଙ୍କ ମାତା ଅନୁପମା ମହାପାତ୍ର ଲିଖିତ ଅଭିଯୋଗ କରିଥିଲେ। ଦୁର୍ବୁତ୍ତମାନେ ଆଶୁତୋଷଙ୍କ ଫୋନରୁ ବାରମ୍ବାର ଆଶୁତୋଷ ଙ୍କ ପିତାଙ୍କ ଫୋନକୁ ଏକାଧିକ ମେସେଜ ପଠାଇଥିଲେ, ଯେଉଁଥିରେ ତାଙ୍କ ପୁଅ ସୁରକ୍ଷିତ ଅଛି ଏବଂ ପାଞ୍ଚ ଲକ୍ଷ ଟଙ୍କା ଦେଲେ ପୁଅକୁ ଛାଡ଼ିବୁ ବୋଲି କହିଥିଲେ।

ତେବେ ଏହା ପରେ ପୋଲିସ ସଜାଗ ହୋଇଉଠିଥିଲା ।। ବିଗତ ଦୁଇ ଦିନ ହେବ ପୋଲିସ ଉକ୍ତ ଘଟଣାରେ ଏକାଧିକ ବ୍ୟକ୍ତିଙ୍କୁ ଜେରା କରିଥିଲା । ଅନ୍ୟପଟେ ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଗତକାଲି ଠାରୁ ଅଭିଯୁକ୍ତ କାହ୍ନା ପ୍ରଧାନଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ସେ ଆଶୁତୋଷଙ୍କ ହତ୍ୟା କରି କୂଅରେ ପକେଇଦେଇଥିବା ସ୍ୱୀକାର କରିଥିଲେ।

ଦୀକ୍ଷିତପଡ଼ା ଓ ଖଣତ ଗ୍ରାମ ମଧ୍ୟବର୍ତ୍ତୀ ଅଞ୍ଚଳର କାହ୍ନାଙ୍କ ଏକ ଅର୍ଦ୍ଧନିର୍ମିତ ଘରେ ଅପହରଣ କରି ରଖିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଦଉଡି ଜରିଆରେ ବେକକୁ ଚିପି ହତ୍ୟା କରି ଉକ୍ତ କୂଅ ମଧ୍ୟକୁ ଫୋପାଡ଼ିଦେଇଥିବାର ଜଣାପଡିଛି।

ଆଜି ଅପରାହ୍ନରେ ବାଲୁଗାଁ ଏସଡିପିଓ ଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ ଟିମ ସମ୍ପୃକ୍ତ ଅଞ୍ଚଳକୁ ଅଭିଯୁକ୍ତଙ୍କ ସହ ଯାଇ ସିନ ରିକ୍ରିଏସନ କରିଥିବା ବେଳେ କୂଅରୁ ଆଶୁତୋଷଙ୍କ ମୃତ ଶରୀରକୁ ଉଦ୍ଧାର କରିଛନ୍ତି। ତେବେ କାହ୍ନା କଣ ପାଇଁ ଆଶୁତୋଷଙ୍କୁ ମାରିଲେ ତାହା ଏଯାବତ ସ୍ପଷ୍ଟ ହୋଇପାରିନାହିଁ।

———-

Leave a Reply

Your email address will not be published. Required fields are marked *